ଉଠାଦୋକାନ ଉପରେ ବିଏମସିର ଅଙ୍କୁଶ: ପାର୍କିଂ ବ୍ୟବସ୍ଥା ନଥିଲେ କେବଳ ପାର୍ସଲକୁ ଅନୁମତି, ପରିଚ୍ଛନତା ନଥିଲେ ଦୋକାନ ବନ୍ଦ

78

କନକ ବ୍ୟୁରୋ: ରାଜଧାନୀ ରାସ୍ତାକଡ ଫୁଟପାଥ୍ ଓ ଡ୍ରେନ୍ ଉପରେ ରହିବନି ଉଠା ଦୋକାନ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିପାଇଁ ଶୁକ୍ରବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଏମସି ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଉପରେ । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, କୌଣସି ପାର୍କିଂ ବ୍ୟବସ୍ଥା ଓ ସ୍ୱଛତାର ବ୍ୟବସ୍ଥା ନକରି ରାଜଧାନୀ ରାସ୍ତାକଡରେ ବହୁ ବ୍ୟବସାୟୀ ଜଳଖିଆ ଦୋକାନ କରିଛନ୍ତି । ଲୋକମାନେ ରାସ୍ତା ଉପରେ ଗାଡି ରଖି ଦୋକାନରେ ଖାଉଛନ୍ତି । ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏଥିସହ ସହରର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହେଉଛି । ତେଣୁ ସହରର ସ୍ୱଛତା ଦୃଷ୍ଟିରୁ ବିଏମସି ପକ୍ଷରୁ ଏପରି ନିର୍ଦ୍ଦେଶନାମାନ ଜାରି କରାଯାଇଛି । ନଜର ପକାନ୍ତୁ କଣ ରହିଛି ବିଏମସିର ଗାଇଡଲାଇନ୍..

–ରାସ୍ତା , ଫୁଟପାଥ ଓ ଡ୍ରେନ୍ ଉପରେ କୌଣସି ଖାଇବା ଦୋକାନ ରହିପାରିବ ନାହିଁ
– ପାର୍କିଂ ବ୍ୟବସ୍ଥା ନଥିଲେ ଦୋକାନ ପାଖରେ ଖାଦ୍ୟ ପରିବେଷଣ ମନା । ଗ୍ରାହକଙ୍କୁ ପାର୍ସଲ ଦେଇ ପାରିବେ
– ଖାଦ୍ୟ ନିରାପତାର ସମସ୍ତ ନୀତିନିୟମକୁ ଦୋକାନୀ ମାନିବାକୁ ପଡ଼ିବ
– ଦୋକାନରେ ୫ମିଟର ବ୍ୟାସାର୍ଦ୍ଧ ଅଂଚଳକୁ ପରିଷ୍କାର ରଖିବେ
-ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବ । ଆବର୍ଜନା ସଂଗ୍ରହ କରୁଥିବା ଗାଡି ସେହି ଡଷ୍ଟବିନ୍କୁ ସଂଗ୍ରହ କରିବ
– କର୍ମଚାରୀ ପରିଷ୍କାର ପୋଷାକ ପିନ୍ଧିବା ସହିତ ମୁଣ୍ଡରେ ଟୋପି, ହାତରେ ଗ୍ଲୋବ୍ସ, ମାସ୍କ ଲଗାଇ

ଖାଦ୍ୟ ପରିବେଷଣ କରିବେ
– ‘ନୋ ଭେଣ୍ଡିଂ ଜୋନ୍ ଅଂଚଳ’ରେ କୌଣସି ବ୍ୟକ୍ତି ଖାଇବା ଦୋକାନ ଖୋଲିପାରିବେ ନାହିଁ
ଗାଇଡଲାଇନ ନେଇ ପ୍ରଥମେ ବିଏମସି ପକ୍ଷରୁ ଦୋକାନୀଙ୍କୁ ସଚେତନ କରାଯାଇଛି । ଆଗକୁ ଉଛେଦ ଅଭିଯାନ ଚାଲିବ ବୋଲି କହିଛନ୍ତି ବିଏମସି ଡେପୁଟୀ କମିଶନର ।

ବିଏମସିର ଗାଇଡଲାଇନକୁ ନେଇ ଉଠା ଦୋକାନୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସଂଘ ପକ୍ଷରୁ କୁହାଯାଇଛି, ଭୁବନେଶ୍ୱରରେ ପ୍ରାୟ ୨୨ହଜାର ଉଠା ଦୋକାନୀ ଦଶନ୍ଧି ଦଶନ୍ଧି ଧରି ବ୍ୟବସାୟ କରି ଚଳି ଆସୁଛନ୍ତି । ହେଲେ, ସେମାନଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା ନକରି ଏମିତି ଗାଇଡଲାଇନ ଆଣିବା ଠିକ ନୁହେଁ । ପ୍ରଥମେ ଭେଣ୍ଡିଂ ଜୋନ କରି ଥଇଥାନ କରାଯାଉ ତାପରେ ଉଛେଦ ହେଉ । ନଚେତ ଆଗକୁ ହେବ ବଡଧରଣର ଆନ୍ଦୋଳନ । ଏହି ପ୍ରସଙ୍ଗରେ ନ୍ୟୁଟ୍ରିସନିଷ୍ଟଙ୍କ ମତ ହେଉଛି, ଯାହା ହେଉ ଖାଦ୍ୟର ଗୁଣବତା ଠିକ୍ ରହିବା ଜରୁରୀ ।

ସ୍ମାର୍ଟ ସହରର ଚାକଚକ୍ୟ ଭିତରେ, ସାଧାରଣ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଏହି ସବୁ ଉଠା ଦୋକାନୀ । ବଡ ବଡ ହୋଟେଲ ତୁଳନାରେ ଦାମ କମ ରହୁଥିବାରୁ ବହୁ ଲୋକ ରାସ୍ତାକଡରେ ଥିବା ଉଠା ଦୋକାନରେ ଭିଡ ଜମାଇ ଥାନ୍ତି । ଆଉ ଦୋକାନୀ ବି ଦିପଇସା ରୋଜଗାର କରି ପରିବାର ଚଳାଇଥାନ୍ତି । ହେଲେ, ବହୁ ଦୋକାନୀ ପରିସ୍କାର ପରିଛନ୍ନତା ଓ ପାର୍କିଂ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉନଥିବାରୁ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି ।