କୋଲକାତାରେ ବିଜେପିର ନବାନ୍ନ ପଦଯାତ୍ରା । ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଘମାଘୋଟ ଲଢେଇ

115

କନକ ବ୍ୟୁରୋ : ମଙ୍ଗଳବାର ଦିନ ଉଠିଛି ପଡିଛି ପଶ୍ଚିମବଙ୍ଗ ରାଜଧାନୀ କୋଲକାତା । କେଉଁଠି ବିଜେପିକର୍ମୀଙ୍କ ଉପରେ ଲାଠିମାଡ ତ ପୁଣି କେଉଁଠି ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୁଲିସ । ଆଉ କେଉଁଠି ବିଜେପି ଓ ପୁଲିସ କର୍ମୀଙ୍କ ଭିତରେ ଦେଖିବାକୁ ମିଳିଛି ଧସ୍ତାଧସ୍ତି, ଟଣାଓଟରା । କିଛି ସ୍ଥାନରେ ପୁଲିସ ଗୋଡେଇ ଗୋଡେଇ ବିଜେପିକର୍ମୀଙ୍କୁ ପଥର ମାଡ କରିଛି ତ ପୁଣି ନାଲି ଆଖି ଦେଖାଇ ମାଡପିଟ କରିବାକୁ ପଛେଇନି । ମଙ୍ଗଳବାର ଏଭଳି କିଛି ଘଟଣା ସହ ଥରି ଉଠିଛି ଜୟ ଅଫ ସିଟି କୋଲକାତା ।

ଟିଏମସିର ଇସାରାରେ ପୁଲିସ ଏଭଳି ବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଛି । ସେପଟେ କୋଲକାତା ପୁଲିସ କହିଛି ବିନା ଅନୁମତିରେ ବିଜେପି ଶାସକ ଦଳ ତୃଣମୃଳ କଂଗ୍ରେସ ବିରୋଧରେ ନବାନ୍ନ ପଦଯାତ୍ରା ବାହାର କରିଥିବା ଯୋଗୁଁ ଏଭଳି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛି କୋଲାକାତା ପୁଲିସ । ବିଜେପି କହିଛି ପ୍ରତ୍ୟେକ ସ୍ଥାନରେ ବାଛି ବାଛି ପୁଲିସ ତାଙ୍କ ଦଳୀୟକର୍ମୀଙ୍କୁ ଗିରଫ କରୁଛି । ସେପଟେ ସହର ଭିତରକୁ ଅନ୍ୟ ରାଜ୍ୟରୁ ଆସୁଥିବା ବିଜେପିକର୍ମୀଙ୍କୁ ରୋକିବା ପାଇଁ ସ୍ଥାନେ ସ୍ଥାନେ ବିଶାଳ ବ୍ୟାରିକେଟ ନିର୍ମାଣ କରାଯାଇଛି । ତେବେ ସ୍ଥାନୀୟ ପୁଲିସ ଏଭଳି ବ୍ୟବହାରକୁ ନେଇ ବିଜେପି ଜୋରଦାର ବିରୋଧ କରିଛି । କୋଲକାତା ସଚିବାଳୟରୁ ମୁଖ୍ୟମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ବିଜେପି କରୁଛି ନବାନ୍ନ ପଦଯାତ୍ରା ।

ବିଜେପିର ନବାନ୍ନ ଆନ୍ଦୋଳନରେ ସାମିଲ ହେବା ପାଇଁ ଶହ ଶହ କର୍ମୀ ପଶ୍ଚିମବଙ୍ଗ ମୁହାଁ ହୋଇଛନ୍ତି । ଅନ୍ୟରାଜ୍ୟର ବିଜେପିକର୍ମୀ ବସ ଓ ରେଳ ଷ୍ଟେସନ ଯୋଗେ କୋଲକାତାରେ ପହଁଚୁଥିବାବେଳେ ଏମାନଙ୍କ ଅଟକ ରଖିଛି ପୁଲିସ । ଏହା ପାଇଁ ଦଳ ପକ୍ଷରୁ ୭ଟି ଟ୍ରେନ ବୁକ କରାଯାଇଛି । ସେପଟେ ସୋମବାର ରାତିରୁ ପଶ୍ଚିମବଙ୍ଗ ପୁଲିସ ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ଲାଗି ରହିଥିବା ସୀମା ନିରାପତା ବ୍ୟବସ୍ଥା କଡ଼ାକଡ଼ କରିଛି । କଳେବଳେ କୌଶଳେ କ୍ରମେ କୋଲାକାତାରେ ପ୍ରବେଶ କରିବା ପାଇଁ ବିଜେପିକର୍ମୀ ନଦୀ ଦେଇ ଡଙ୍ଗା ସାହାଯ୍ୟରେ ସହରକୁ ପଶିଛନ୍ତି ।

ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ଲଗାତାର ଇଡି ଓ ସିବିଆଇ ରେଡରେ ବଡ ବଡ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । କେବଳ ସେତିକି ନୁହେଁ କୋଟି କୋଟି ନଗଦ ଟଙ୍କା ମଧ୍ୟ ଟିଏମସି ନେତା ଓ ମନ୍ତ୍ରୀଙ୍କ ଘରୁ ଜବତ ହେଉଛି । ସେପଟେ କୋଇଲା ଦୁୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ନାଁ ରହିଛି । ଏହି ସମସ୍ତ ଅଭିଯୋଗ ନେଇ ବିଜେପି ଟିଏମସି ବିରୋଧରେ ବାହାର କରିଛି ନବାନ୍ନ ପଦଯାତ୍ରା ।