୨୦୨୨ରେ ଫେରିଲା ୨୦୧୯ ଡାଏଲଗ୍: ବିଜେଡିକୁ ଓପାଡି ଫୋପାଡି ଦେବାକୁ ଜୁଏଲଙ୍କ ଆହ୍ୱାନ

170

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ସମୟରେ ବିଜେପିର ଚାଣକ୍ୟ ଅମିତ ଶାହା ଯେମିତି ବୟାନ ଦେଇଥିଲେ ଏବେ ଠିକ୍ ସେମିତି ଆହ୍ୱାନ ଦେଇଛନ୍ତି ବିଜେପିର ବରିଷ୍ଠ ସାଂସଦ ଜୁଏଲ ଓରାମ । ଉଭୟଙ୍କ ବୟାନର ଅର୍ଥ ପ୍ରାୟ ସମାନ । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳକୁ କଳେ ବଳେ କୌଶଳେ ଗାଦି ଚ୍ୟୁତ କରିବା । କ୍ଷମତାଚ୍ୟୁତ କରି ସମୁଦ୍ରରେ ଓପାଡି ଫୋପାଡିବା । ପୁରୀରେ ଆରମ୍ଭ ହୋଇଥିବା ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଏମିତି ରଣହୁଙ୍କାର ଦେଇଛନ୍ତି ଜୁଏଲ ଓରାମ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,୨୦୧୯ ସାଧାରଣ ନିର୍ବାଚନ ପରେ ଯେଉଁ ବିଜେପି ନରମ ଆଭିମୁଖ୍ୟ ଦେଖାଉଥିଲା, ସେଥିରେ ପରିବର୍ତନ ଆଣି ପୁଣି ଥରେ ଆକ୍ରମଣାତ୍ମକ ହୋଇଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଡରାଇବା ପରେ ଏବେ ଜୁଏଲ ଓରାମ ଏମିତି ବୟାନ ରଖିଛନ୍ତି ।

ଜୁଏଲଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରର ବିଜେପି ସରକାରକୁ ସବୁ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିବା ବିଜେଡି ଏଭଳି ବୟାନକୁ ସହଜରେ ଗ୍ରହଣ କରିପାରିନି । ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜୁଏଲ ଓରାମ ସବୁବେଳେ ଭିତୀହିନ କଥା କୁହନ୍ତି । ମହୋଦଧି ଭଳି ବିଜେଡି ବଢ଼ି ବଢ଼ି ଚାଲିଛି । ଦଳକୁ କେହି ତିଆରି କରିନାହାନ୍ତି । ଲୋକଙ୍କ ଆର୍ଶିବାଦ ଥିଲେ କେହି ଓପାଡି ଫୋପାଡି ପାରିବେନି ।

୨୦୨୪ ନିର୍ବାଚନ ଆହୁରି ଅନେକ ଦିନ ବାକି ଥିଲେ ବି ବିଜେଡି ପରେ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି । କେନ୍ଦ୍ରମନ୍ତ୍ରୀମାନଙ୍କ ଗସ୍ତ ପରେ ପୁରୀରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଏହି ଶିିବିରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଂଚାଇବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦିଆଯାଇଛି । ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦ ପ୍ଲସ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି । ହେଲେ ଏହି ପ୍ରଶିକ୍ଷଣ ଶିବିରରୁ ବିଜେପିକୁ କୌଣସି ଲାଭ ମିଳିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।

କିଛି ଦିନ ହେଲା ଏକାଧିକ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ତୋଫାନି ଗସ୍ତରେ ଆସି ସରକାର ଗଠନ ନେଇ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ୨୦୨୪ରେ ଓଡିଶା଼ରେ ୧୬ ଲୋକସଭା ଆସନରେ ଜିତିବ ବିଜେପି । ତାପରେ ବିଶ୍ୱେଶ୍ୱର ଟୁଡୁଙ୍କ ସିବିଆଇ ଇଡି ଚଢ଼ାଉ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ଆଉ ଏବେ ଜୁଏଲଙ୍କ ବୟାନ ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ।