ଯୁଦ୍ଧ ଭିତରେ ଆମେରିକାର ସାଂଘାତିକ ଅଭିଯୋଗ । ଚୀନକୁ ସାମରିକ ଓ ଆର୍ଥିକ ସହାୟତା ମାଗୁଛି ରୁଷିଆ । ଅଭିଯୋଗକୁ ଖଣ୍ଡନ କଲେ ଉଭୟ ଚୀନ ଓ ରୁଷ

187

କନକ ବ୍ୟୁରୋ: ରୁଷିଆ ୟୁକ୍ରେନ ଯୁଦ୍ଧ ଭିତରେ ଚୀନକୁ ସହାୟତା ମାଗିଛି ରୁଷିଆ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଯୁଦ୍ଧର ଅବଧି ବଢି ବଢି ଚାଲିଥିବାରୁ ରୁଷ ଉପରେ ଅଧିକାଂଶ ଦେଶ ପ୍ରତିବନ୍ଧକ ଲଗାଇବା ପରେ ଆଥିକ ଓ ସାମରିକ ଦୃଷ୍ଟିରେ ଦୁର୍ବଳ ହେଉଛନ୍ତି ରୁଷ ସରକାର । ତେଣୁ ଚୀନ ଠାରୁ ସହାୟତା ମାଗିଛନ୍ତି ରାଷ୍ଟ୍ରପତି ପୁଟିନ । ଏହି ଖବର ସାମ୍ନାକୁ ଆସିବା ପରେ ଭାରତର ଚିନ୍ତା ବଢିଛି । ସେପଟେ ଆମେରିକାର ତଥ୍ୟ ଉପରେ ପ୍ରଶ୍ନ ଉଠାଇଛି ଚୀନ । ଯୁଦ୍ଧରେ ଚୀନର ଭୂମିକାକୁ ନେଇ ଆମେରିକା ମିଛ ତଥ୍ୟ ଦେଉଛି ବୋଲି କହିଛି ବେଜିଂ ।

ଚୀନଠାରୁ ସାମରିକ ଓ ଆର୍ଥିକ ସହାୟତା ଲୋଡିଛି ରୁଷ । ୟୁକ୍ରେନ ଯୁଦ୍ଧରେ ରୁଷିଆ ସରକାର ଯୁଦ୍ଧ ଉପକରଣ ଓ ଅର୍ଥନୈତିକ ସହାୟତା ମାଗିଥିବା ଆମେରିକାର ଏହି ଅଧିକାରୀମାନେ କହିଛନ୍ତି । ବାଇଡେନ ପ୍ରଶାସନର ଦୁଇ ଅଧିକାରୀ ଏହି ତଥ୍ୟ ଦେବା ପରେ ଏହାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହାଁନ୍ତି ଅଧିକାରୀ । କିନ୍ତୁ ରୁଷ ୟୁକ୍ରେନଠାରୁ ସମ୍ମୁଖୀନ ହେଉଥିବା ପ୍ରତିରୋଧରକୁ ସାମ୍ନା କରିବାକୁ ଚୀନକୁ ସହାୟତା ମାଗିଥିବା କହିଛନ୍ତି ଏହି ଦୁଇ ଅଧିକାରୀ । ବର୍ତ୍ତମାନ ଆମେରିକୀୟ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଦୀର୍ଘ ବର୍ଷ ହେବ ଭାରତ ଓ ରୁଷ ମଧ୍ୟରେ ସାମରିକ ସର୍ମ୍ପକ ବେଶ ମଜବୁତ ରହିଛି । ଏଭଳି ପରିସ୍ଥିତିରେ ଯଦି ଚୀନ ରୁଷକୁ ସହାୟତା ପରେ ତେବେ କୁଟନୀତିସ୍ତରରେ ଭାରତକୁ ବଡ ଝଟକା ଲାଗିବାର ସମ୍ଭାବନା ରହିଛି । ସୁଖୋଇ ଯୁଦ୍ଧବିମାନ, ଟ୍ୟାଙ୍କ, ବିକ୍ରମାଦିତ୍ୟ ଭଳି ସମୁଦ୍ରରେ ଲଢେଇ କରୁଥିବା ଜାହାଜ, ଏମିତି ଅନେକ କ୍ଷେତ୍ରରେ ରୁଷିଆ ଉପରେ ଭାରତ ନିର୍ଭର କରୁଛି । ଯଦି ଆମେରିକୀୟ ଅଧିକାରୀଙ୍କ କଥା ସତ ହୋଇଥାଏ ଏବଂ ଚୀନ ଏହି ଯୁଦ୍ଧରେ ରୁଷିଆକୁ ସହାୟତା କରେ, ତେବେ ଭାରତୀୟ କୁଟନୈତିକ ସ୍ଥିତି ସଙ୍କଟ ଭିତରକୁ ଚାଲିଯାଇପାରେ । କାରଣ ଚୀନ ଭାରତର ଏକ ବଡ ଚିନ୍ତାର କାରଣ ଏବଂ ଭାରତ ଏହି ସ୍ଥିତିରେ ରୁଷ ବିରୋଧରେ ନଯାଇ ଏକ ବଡ ରିସ୍କ ନେଇଛି । ଆଉ ଏଭଳି କ୍ଷେତ୍ରରେ ଯଦି ସିଧାସଳଖ ଚୀନ ଓ ରୁଷିଆ ଭିତରେ ସାମରିକ ବୁଝାମଣା ହୋଇ ଯୁଦ୍ଧକୁ ଯାଆନ୍ତି ତେବେ ଭାରତ ପାଇଁ ଏକ ଚିନ୍ତାର ବିଷୟ । ମୋଦି ସରକାର ଏହି ବିଷୟକୁ ଗୁରୁତର ସହ ନେଇ ବିଚାରବିମର୍ଶ କରୂୁଥିବା ଜଣାପଡିଛି ।

ୟୁକ୍ରେନ ବିରୋଧୀ ଯୁଦ୍ଧକୁ କୋଡିଏ ଦିନ ପହଁଚିଲାଣି, କିନ୍ତୁ ରୁଷିଆ ସେନା ସଂପୂର୍ଣ୍ଣ ଭାବରେ ୟୁକ୍ରେନ ସହର ଗୁଡିକୁ କବଜା କରିପାରି ନାହିଁ । ସେପଟେ ଆମେରିକା ଓ ୟୁରୋପୀୟ ଦେଶମାନେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଦେଉଛନ୍ତି । ଫଳରେ ଯୁଦ୍ଧ ଆହୁରି ଲମ୍ବା ହେବାନେଇ ଆଶଙ୍କା କରାଯାଉଛି । ତେବେ ଆମେରିକା ଅଧିକାରୀଙ୍କ ଏହି ବଡ ବୟାନକୁ ଗ୍ରହଣ କରିପାରିନି ଚୀନ । ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯୁଦ୍ଧ ଭିତରେ ଚୀନର ଭୂମିକାକୁ ନେଇ ଅପ୍ରଚାର କରୁଛି ଆମେରିକା । ଏଥିସହ ମାନବିକତା ଦୃଷ୍ଟିରୁ ୟୁକ୍ରେନକୁ ସମସ୍ତ ସହାୟତା ପାଇ
ପ୍ରତିଶ୍ରୁତିବଦ୍ଧ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି ।