ଓଡିଶାରେ ହେବନି ମେଣ୍ଟ, ଏକାକୀ ଲଢିବ ବିଜେପି: ଏକ୍ସରେ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

565

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ସୋସିଆଲମିଡିଆ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ଲଢିବ ଆଉ ସରକାର କରିବ । ତେବେ ଦୀର୍ଘଦିନ ଧରି ଲାଗି ରହିଥିବା ମେଣ୍ଟ ଚର୍ଚ୍ଚାକୁ ଏବେ ଏହି ପୋଷ୍ଟ ମାଧ୍ୟମରେ ଫର୍ଚ୍ଚା କରିଦେଇଛନ୍ତି ମନମୋହନ ସାମଲ ।

ମନମୋହନ ସାମଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଓଡିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଓ ସରକାର ବି କରିବ । ଏଥର ଓଡିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ୱ ନେଇ ଏହି ନିର୍ବାଚନ ଲଢିବେ ଓ ସରକାର କରିବେ ।

ଦୀର୍ଘ ହେବ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ରାଜ୍ୟ ବିଜେପିର ବରିଷ୍ଠ ବିଜେପି ନେତାଙ୍କୁ ବାରମ୍ବାର ଦିଲ୍ଲୀକୁ ଡାକରା ଆସୁଥିଲା । ଏହି ଘଟଣା ମେଣ୍ଟ ଚର୍ଚ୍ଚାକୁ ଦ୍ୱିଗୁଣିତ କରୁଥିଲା । ବିଜେପି ମେଂଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ଚାଣକ୍ୟ କୁହାଯାଉଥିିବା ଅମିତ୍ ଶାହାଙ୍କୁ କାଲି ଭେଟିଥିଲେ ରାଜ୍ୟ ବିଜେପି ନେତୃତ୍ୱ । ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନସ ମହାନ୍ତି ଓ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର, ଶାହାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ଏହି ସମୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବା ସହ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିପରି ପୂର୍ବରୁ ବିଜେଡି ନେତୃତ୍ୱ ବି ବାରମ୍ବାର ଦିଲ୍ଲୀ ଯାଉଥିଲେ । ଆଉ ଯାହା ମେଣ୍ଟ ଚର୍ଚ୍ଚାକୁ ବଢାଉଥିଲା । କୁହାଯାଉଥିଲା ଉଭୟ ବିଜେଡି ଓ ବିଜେପି ଭିତରେ ସିଟ ଭାଗବଣ୍ଟାକୁ ନେଇ ଅଙ୍କ ଛିଡୁନି । ତେବେ ଏହି ସବୁ ଚର୍ଚ୍ଚା ଭିତରେ ଆଜି ମନମୋହନ ସାମଲ ସୋସିଆଲମିଡିଆରେ ଏନେଇ ସ୍ପଷ୍ଟ କରିଛନ୍ତି ।