ଝାରସୁଗୁଡା ରାଜନୀତି : ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ଏପଟେ ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ବିଜେଡିରେ ମିଶିଲେ ଜିଲ୍ଲା ସଭାପତି

138

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି, କେହି କାହାର ମିତ୍ର ନୁହନ୍ତି । ରାଜନୀତିରେ ସବୁକିଛି ସମ୍ଭବ । ଝାରସୁଗୁଡାରୁ ଆସିଛି ସେମିତି କିଛି ରୋଚକ ଖବର । ଉପନିର୍ବାଚନ ପାଇଁ ପ୍ରଚାର ଯେତେବେଳେ ଜୋରସୋରରେ ଚାଲିଛି, ସେତିକିବେଳେ, କାଲି ଯେଉଁ ନେତା ବିଜେପି ପାଇଁ ପ୍ରଚାର କରୁଥିଲେ, ଆଜି ସେହି ନେତା ବିଜେଡିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରିବାକୁ ଯାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।

  • ଝାରସୁଗୁଡାରେ ବିଜେଡି-ବିଜେପି ମୁହାଁମୁହିଁ
  • ୱାର୍ଡ ଭିତରେ ପଶିପାରିଲେନି ବିଜେପି ପ୍ରାର୍ଥୀ

ଝାରୁସୁଗୁଡା ଉପ-ନିର୍ବାଚନ ପାଇଁ ଆଉ ସପ୍ତାହେ ବାକି ଅଛି । ଆଉ ସମର୍ଥନ ପାଇଁ ୩ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବୁଧବାର ପ୍ରଚାର ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ବିଜେପି–ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ହେବା ସହ ଠେଲାପେଲା ହୋଇଛି । ଝାରସୁଗୁଡାର ମଙ୍ଗଳା ବଜାର ୨୨ ନମ୍ବର ୱାର୍ଡକୁ ପ୍ରଚାର ପାଇଁ ଯାଇଥିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । କିନ୍ତୁ ୱାର୍ଡ ଭିତରକୁ ତାଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ବିଜେପି – ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।

ଏହି ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ସେପଟେ ବିଜେଡି କର୍ମୀଙ୍କୁ ବିରୋଧ କରି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଝାରସୁଗୁଡା ଟାଉନ ଥାନା ଘେରାଉ କରିଛି ଜିଲ୍ଲା ବିଜେପି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବି ଫେରାଦ ହୋଇଛି ବିଜେପି । ଦଳ କହିଛି ମଙ୍ଗଳା ବଜାରରେ ବିଜେଡି ଗଣ୍ଡଗୋଳ କରିଛି । ତେଣୁ ସେଠାରେ ୭୧ ନମ୍ବର ବୁଥ ସମ୍ବେଦନଶୀଳ । ତେଣୁ ଓଡିଶା ପୁଲିସକୁ ହଟାଇ କେନ୍ଦ୍ରୀୟ ପୁଲିସ ମୁତୟନ କରାଯାଉ ।

  • ଭୋଟ ପୂର୍ବରୁ ନେତାଙ୍କ ଦଳଡିଆଁ
  • ବିଜେଡିରେ ମିଶିଲେ ଜିଲ୍ଲା ବିଜେପି ସଭାପତି

ଝାରୁସୁଗୁଡା ଭୋଟ ଶେଷ ପର୍ଯ୍ୟାୟରେ ଥିଲା ବେଳେ ଦଳଡିଆଁ ପର୍ବ ଜୋର ଧରିଛି । ବିଜେପିର ଷ୍ଟାର ପ୍ରଚାରକ ତଥା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ହଠାତ ବିଜେଡିରେ ସାମିଲ ହୋଇଛନ୍ତି । ଷ୍ଟାର ପ୍ରଚାରକ ତାଲିକାରେ ଥିବା ଓ ବିଜେପି ପାଇଁ ଯିଏ ଘର ଘର ବୁଲି ଭୋଟ ମାଗୁଥିଲେ ସିଏ ଏବେ ବିଜେଡିରେ ସାମିଲ ହୋଇ ଦଳକୁ ଝଟକା ଦେଇଛନ୍ତି । ତେବେ ବିଜେଡିରେ ଯୋଗଦେବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମଙ୍ଗଳ ସାହୁ । ସେପଟେ ବିଜେପି କହିଛି, ଏହାର କିଛି ଫରକ ପଡିବନି ।

ତେବେ ନିର୍ବାଚନକୁ ଆଉ ୬ ଦିନ ବାକି ରହିଥିବାବେଳେ ବିଜେପି ସଭାପତିଙ୍କ ଏହି ଦଳ ବଦଳ ଏବେ କଣ ପ୍ରଭାବ ପକାଇବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଓ ବିଜେପିର ଟାଣୁଆ ନେତା ତଥା ଝାରସୁଗୁଡା ବାର ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଳ କିଛି ଦିନ ପୂର୍ବରୁ ବିଜେଡିରେ ମିଶିଥିଲେ । ଏଭଳି ଦଳଡିଆଁ ନିର୍ବାଚନ ଉପରେ କି ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।