୫ ତାରିଖରେ ଓଡ଼ିଶା ଆସିପାରନ୍ତି ନୀତିଶ । ନବୀନଙ୍କ ସହ ଆଲୋଚନା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର…

94

କନକ ବ୍ୟୁରୋ: ସବୁ ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରେ । କିଛି ଜାତୀୟ ସ୍ତରର ନେତା ବିଜେପି- କଂଗ୍ରେସ ଠାରୁ ଦୂରେଇ ନୂଆ ମେଣ୍ଟ ଗଠନ କରିବାକୁ ଲାଗି ପଡନ୍ତି । ଏଥର ବି ସେମିତି ପ୍ରୟାସ ଚାଲିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଥିପାଇଁ ଜୋରଦାର କସରତ ଚଳାଇଛନ୍ତି । ମୋଦୀ ବିରୋଧୀଙ୍କୁ ଏକାଠି କରିବାରେ ଲାଗିପଡିଛନ୍ତି ନୀତିଶ । ଗତ କିଛି ଦିନ ତଳେ ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଏବେ ନବୀନଙ୍କୁ ଭେଟିବାକୁ ନୀତିଶ ଓଡିଶା ଆସୁଥିବା ଚର୍ଚ୍ଚାର ବିଷୟ ହୋଇଛି ।

  • ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ!
  • ନବୀନଙ୍କୁ ଭେଟିବେ ନୀତୀଶ!

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି । ଆଉ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଭେଟିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ନୀତିଶ କୁମାର ଓଡିଶା ଆସିବା ନେଇ ବିହାରରେ ଚର୍ଚ୍ଚା ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଏନେଇ ନୀତିଶ କୁମାରଙ୍କ ପକ୍ଷରୁ କିମ୍ବା ନବୀନଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଏନେଇ ବିଜେଡି ବିଧାୟକ କହିଛନ୍ତିି ଯେ, ମୁଖ୍ୟମନ୍ତ୍ରୀ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମନା କରନ୍ତି ନାହିଁ । ସମସ୍ତଙ୍କୁ ଭେଟନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କଥା ହୁଅନ୍ତି । ତେଣୁ ନିଷ୍ପତି ମୁଖ୍ୟମନ୍ତ୍ରୀଙ୍କ ଉପରେ ।

  • ବିରୋଧୀଙ୍କୁ ଏକାଠି କରୁଛନ୍ତି ନୀତିଶ
  • ନବୀନଙ୍କ ଆଭିମୁଖ୍ୟ ଉପରେ ନଜର

ବିହାରରେ ବିଜେପିର ହାତ ଛାଡିବା ପରେ, ବିଜେପି ବିରୋଧୀଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି ନୀତିଶ କୁମାର । ଏହି କ୍ରମରେ ସେ କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ସହ ଆଲୋଚନା ବେଳେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଚର୍ଚ୍ଚା ହୋଇଥିବା କୁହାଯାଉଥିଲା । ଆଉ ଏବେ ନୀତିଶ ଓଡିଶା ଆସିବେ ବୋଲି କୁହାଯାଉଥିବାରୁ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରୁଛି । ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡିବ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ । ଅନ୍ୟପଟେ ବିଜେପି ନେତା କହିଛନ୍ତି, ଅଯୋଗ୍ୟ ଲୋକମାନେ ଏକାଠି ହେଉଛନ୍ତି, ତାର ପରିଣାମ କଣ ହେବ ତାହା ଦେଖିବ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ସମୟରେ ନବୀନ ଓ ମମତାଙ୍କ ଭେଟକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଥିଲା । କିନ୍ତୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଦୁଇ ନେତାଙ୍କ ପକ୍ଷରୁ କୁହାଯାଇଥିଲା ।