ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ଏକ ୫୦ ଜଣିଆ ସ୍ପେଶାଲ ଡେଲିଗେସନ ଟିମ ପାକିସ୍ତାନ ଗସ୍ତରେ । ମିଶନ କ’ଣ  ?

165

ସାଉଦି ଆରବର ଏହି ବିଶେଷ ପ୍ରତିନିଧୀ ଦଳ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ବିଷୟରେ ଅନୁସନ୍ଧାନ କରିବେ। ଏହି ପ୍ରତିନିଧି ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି । ପାକିସ୍ତାନର ଖଣି ଉପରେ ସାଉଦି ଆରବ ନଜର ରଖିଛି । ଏଥି ସହିତ ପାକିସ୍ତାନ ମଧ୍ୟ ସାଉଦି ଠାରୁ ବଡ ପୁଞ୍ଜି ବିନିଯୋଗ ଆଶା କରୁଛି ।

 

ଦାରିଦ୍ର୍ୟର ଦ୍ଵାରଦେଶରେ ଠିଆ ହେଇଥିବା ପାକିସ୍ତାନକୁ ଏହି ସମୟରେ ସାଉଦି ଆରବ ଟିକେ ଦୟା ପରବଶ ହେଇଛି । ଶାହାବାଜ ସରକାରଙ୍କ ସହ ସାଉଦି ଏକ ବଡ ଯୋଜନା କରୁଛି । ପୁଞ୍ଜି ବିନିଯୋଗ ସମ୍ଭାବନା ଦେଖି ସାଉଦି ପାକିସ୍ତାନରେ କିଛି ବଡ କରିବାକୁ ଚାହୁଁଛି । ଏଥିପାଇଁ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନକୁ ୫୦ ଜଣିଆ ଏକ  ବିଶେଷ ପ୍ରତିନିଧି ଦଳ ପଠାଇଛନ୍ତି । ଏହି ଲୋକମାନେ ପାକିସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ସମ୍ଭାବନା ଅନୁସନ୍ଧାନ କରିବେ ।  ସାଉଦି ଆରବର ଡେପୁଟି ନିବେଶ ମନ୍ତ୍ରୀ ଇବ୍ରାହିମ ଆଲମୁବାରକଙ୍କ ନେତୃତ୍ୱରେ ଏକ ୫୦ ଜଣିଆ ପ୍ରତିନିଧୀ ଦଳ ପାକିସ୍ତାନରେ ପହଞ୍ଚିଛନ୍ତି । ସାଉଦି ପ୍ରତିନିଧି ଦଳକୁ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ଜାମ କମଲ ଖାନ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ମୁସାଦିକ ମାସୁଦ ମଲିକ ସ୍ୱାଗତ କରିଛନ୍ତି । ଏହି ୫୦ ଜଣିଆ ପ୍ରତିନିଧୀ ଦଳରେ ୩୦ ଟି କମ୍ପାନୀର ପ୍ରତିନିଧୀ ଅନ୍ତର୍ଭୁକ୍ତ ଅଛନ୍ତି ।  ୫୦ ଜଣିଆ ସଦସ୍ୟଙ୍କ ଏହି ପ୍ରତିନିଧୀ ଦଳ ରବିବାର ଦିନ ଇସଲାମାବାଦରେ ପହଞ୍ଚିଛନ୍ତି ।

ଆଜିଠାରୁ ପାକ୍-ସାଉଦି ର ବିନିଯୋଗ ସମ୍ମିଳନୀ ଆରମ୍ଭ ।

ଦୁଇ ଦେଶ ମଧ୍ୟରେ ନିବେଶ ସମ୍ମିଳନୀ ସୋମବାର ଠାରୁ ଆରମ୍ଭ ହେବ। ଏଥିରେ ଉଭୟ ଦେଶର କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଉଭୟ ଦେଶରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ହେଉଛି ନିବେଶ ସମ୍ମିଳନୀର ଉଦ୍ଦେଶ୍ୟ ।  ଅଧିକାରୀ କହିଛନ୍ତି ଯେ ଏହି ପ୍ରତିନିଧୀ ଦଳ ପାକ୍-ସାଉଦି ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ ।

ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ।

ସାଉଦି ଆରବର ଡେପୁଟି ଇନଭେଷ୍ଟମେଣ୍ଟ ମନ୍ତ୍ରୀ ଇବ୍ରାହିମ ଆଲମୁବାରକ କହିଛନ୍ତି ଯେ ଏହି ପ୍ରତିନିଧୀ ଦଳରେ ସାଉଦି କମ୍ପାନୀର ବିଭିନ୍ନ କ୍ଷେତ୍ରର ପ୍ରତିନିଧୀ ଅଛନ୍ତି । ଏଥି ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା, ଟେଲିକମ୍ ଯୋଗାଯୋଗ, ଶକ୍ତି, ବିମାନ ଚଳାଚଳ, ନିର୍ମାଣ, ଖଣି ଅନୁସନ୍ଧାନ, କୃଷି ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ । ଏହି ଅବସରରେ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ଜାମ କମଲ ଖାନ କହିଛନ୍ତି ଯେ କୃଷି, ଖଣି ଏବଂ ମାନବ ସମ୍ବଳ ବିକାଶ ଉପରେ ଧ୍ୟାନ ଦେଇ ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି କହିଛନ୍ତି ।

ସାଉଦି ଉପରେ ପାକିସ୍ତାନର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । 

ସାଉଦି ଆରବର ଏହି ପ୍ରତିନିଧି ଦଳ ଏକ ସମୟରେ ପାକିସ୍ତାନରେ ପହଞ୍ଚିଛନ୍ତି, ଯେତେବେଳେ ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ  ଖରାପ ଅବସ୍ଥାରେ ଅଛି ।  ଏହାର ଅର୍ଥନୀତି ଏକପ୍ରକାର ବୁଡିବାକୁ ବସିଲାଣି । ଦେଶ ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ଶାହବାଜ ସରିଫ ଦ୍ୱିତୀୟ ଥର ପାଇଁ ଦେଶର ୱାଜିର-ଏ-ଆଜମ ହୋଇଥିଲେ କିନ୍ତୁ ଦେଶର ଅବସ୍ଥା ସମାନ ରହିଛି କିନ୍ତୁ ସାଉଦି ପ୍ରତିନିଧୀଙ୍କ ଏହି ଗସ୍ତରୁ ପାକିସ୍ତାନର ସମ୍ପୂର୍ଣ୍ଣ ଆଶା ରହିଛି। ତାଙ୍କର ବିଶ୍ବାସ ଅଛି ଯେ ସାଉଦି ତାଙ୍କ ଦେଶରେ ଏକ ବଡ଼ ନିବେଶ କରିବ।

ଆସନ୍ତା ସପ୍ତାହରେ ସାଉଦି ପ୍ରିନ୍ସ ପାକିସ୍ତାନ ଗସ୍ତ କରିବେ

ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଗତ ମାସରେ ସାଉଦି ଆରବ ଗସ୍ତ କରିଥିଲେ। ଏହି ସମୟରେ ସେ ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ସହ ପାକିସ୍ତାନରେ ନିବେଶ ବିଷୟରେ ଆଲୋଚନା କରିଥିଲେ।  ଏହା ପରେ ଏହି ସାଉଦି ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି । ଆହୁରି ମଧ୍ୟ ଖବର ଅଛି ଯେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମଧ୍ୟ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତରେ ଆସିବାକୁ ଯାଉଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ପାକିସ୍ତାନ ଗସ୍ତ ହେବ । ଏହାପୂର୍ବରୁ ସେ ଫେବୃଆରୀ ୨୦୧୯ ରେ ଏଠାକୁ ଯାଇଥିଲେ ।