ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମହାମହିମ । ଆସନ୍ତାକାଲି ଦିନ ୧୦ଟାରେ ପହଁଞ୍ଚିବେ ପାହାଡପୁର । ସଜେଇ ହୋଇଛି ରାଇରଙ୍ଗପୁର ସହର

155

କନକ ବ୍ୟୁରୋ: ଆସନ୍ତାକାଲି ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ରାଇରଙ୍ଗପୁର । ଆଜି କାରକେଡ ରିହର୍ସାଲ କରାଯାଇଛି । ଗସ୍ତ ସୂଚୀ ଅନୁସାରେ କାଲି ଦିନ ୧୦ଟାରେ ନିଜ ଗାଁ ପାହାଡପୁରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ ।

ସଜେଇ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ । ରାଷ୍ଟ୍ରପତି ହେବାର ୧୦ ମାସ ପରେ ମୟୁରଭଞ୍ଜ ରାଇରଙ୍ଗପୁରର ପାହାଡପୁର ଆସୁଛନ୍ତି ମହାମହିମ । ସଜେଇ ହେଉଛି ବଣ ପାହାଡ଼ ଘେରା ଉପାନ୍ତ ଗାଁ । ସୁରକ୍ଷା ଠାରୁ ଆରମ୍ଭ କରି ମହାମହିମଙ୍କ ରହଣି ସବୁ କିଛି ପ୍ରସ୍ତୁତି ଶେଷ ହୋଇଛି । କେବଳ ଅପେକ୍ଷା ମହାମହିମଙ୍କ ଆଗମନକୁ । ଏସ ଏଲ ଏସ ଆବାସିକ ବିଦ୍ୟାଳୟ, ସ୍ୱାମୀ ଶ୍ୟାମଚରଣ ଓ ଦୁଇ ପୁଅଙ୍କ ନାଁରେ ତିଆରି କରିଥିଲେ ଏହି ସ୍କୁଲ । ତିନି ଦିନିଆ ଗସ୍ତର ଆସନ୍ତାକାଲି ପ୍ରଥମ ଦିନ । ଏହି ସମୟରେ ପରିବାରବର୍ଗଙ୍କ ସହ କିଛି ସମୟ ବିତାଇବେ ଦ୍ରୌପଦୀ ମୁର୍ମୁ ।

  • ତିନି ଦିନିଆ ଗସ୍ତରେ ମହାମହିମ
  • ମିନିଟ୍ ଟୁ ମିନିଟ୍ କାର୍ଯ୍ୟସୂଚୀ ଜାରି

ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ସେହିପରି
ରାଷ୍ଟ୍ରପତିଙ୍କ ମିନିଟ୍ ଟୁ ମିନିଟ୍ କାର୍ଯ୍ୟସୂଚୀ ଜାରି କରାଯାଇଛି ।

୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ମୁର୍ମୁ ପାଲାମ ବିମାନ ବନ୍ଦରରୁ ବାହାରିବେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପଶ୍ଚିମବଙ୍ଗର କୋଲାଇକୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ବାୟୁସେନାର ‘ଏମଆଇ ୧୭’ ହେଲିକ୍ୟାପ୍ଟରରେ ବାଦାମପାହାଡ଼ ହେଲିପ୍ୟାଡରେ ଅବତରଣ କରିବେ । ପରେ ସଡ଼କ ପଥରେ ପାହାଡ଼ପୁର ଆସିବେ । ଏଠାରେ ବିଭିନ୍ନ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ମଧ୍ୟ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଦିନ ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ତିନି ଦିନିଆ ଗସ୍ତ ବେଳେ ରାଷ୍ଟ୍ରପତି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ତେବେ ଗାଁର ଗୋଷାଣୀ ଏବେ ନୂଆ ରୂପ ପାଇଛି । ଆଉ ଗୋଷାଣୀକୁ ନିଜ ହାତରେ ସଜେଇ ଦେଉଛି ସ୍ଥାନୀୟ ବାସିନ୍ଦା ସନା । ପାହାଡପୁର ଆସିଲେ ଏହି ଗୋଷାଣୀରେ ପୂଜା କରନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ଏଥର ଗସ୍ତରେ ବି ରାଷ୍ଟ୍ରପତି ଗୋଷାଣୀରେ ବିତାଇବେ ସମୟ ।