‘ଡବଲ ଇଞ୍ଜିନ୍ ସରକାର ହେଲେ ଓଡିଶା ୨୦ ବର୍ଷ ତଳକୁ ଚାଲିଯିବ’ : ଭବାନୀପାଟଣାରେ ବିଜେପିକୁ କଡା ଜବାବ ଦେଲେ ପାଣ୍ଡିଆନ୍

269

କନକ ବ୍ୟୁରୋ: ଭବାନୀପାଟଣାରେ ଆୟୋଜିତ ସଭାରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । କହିଛନ୍ତି, ବଡ ନେତା ଯେତେ କହିଲେ ବି ଆମ ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ହେବନି । ଏହା ଲୋକଙ୍କୁ ଅନେକ ସାହାଯ୍ୟ କରିଛି । ଏଥିରେ ଇନସ୍ୟୁରାନ୍ସ କମ୍ପାନୀ ଚକ୍କରରେ ଗରୀବଙ୍କୁ ପଡିବାକୁ ହେଉନି । ସିଧାସଳଖ ସେମାନଙ୍କ ଆକଉଣ୍ଟକୁ ଟଙ୍କା ଆସିବ । ଏହଛଡା ବିଏସକେୱାଇ ଏକ ଏଟିଏମ୍ କାର୍ଡ ଭଳି, ଯାହାଦ୍ୱାରା ରୋଗୀର ଚକିତ୍ସା ପାଇଁ ସିଧାସଳଖ ଆର୍ଥିକ ସହାୟତା ମିଳିବ । ବିଜେପି କହୁଛି ଗର୍ଭବତୀ ମା’ଙ୍କ ପାଇଁ ୬ ହଜାର ଟଙ୍କା ଦେବେ । ହେଲେ ରାଜ୍ୟ ସରକାର ଗର୍ଭବତୀ ମହିଳାଙ୍କ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା ରଖିଛି ।

ଏହାପରେ ବିଜେପି କହୁଥିବା ଡବଲ ଇଞ୍ଜିନ ସରକାରଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ୍ । କହିଛନ୍ତି । ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହିଁ କେବଳ ରାଜ୍ୟକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବେ । ବିଜେପି ଯେଉଁ ଡବଲ ଇଞ୍ଜିନ୍ କଥା କହୁଛି ତାହା କିଛି କାମ ଦେବନି । କାରଣ ଯେଉଁ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି ସେସବୁ ରାଜ୍ୟ ୨୦ ବର୍ଷ ତଳକୁ ଖସିଯାଇଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ଏହାର ଉଦାହରଣ । ଏସବୁ ରାଜ୍ୟରେ ଲୋକେ ଡବଲ ଇଞ୍ଜିନ ଗାଡି ଉପରେ ଭରସା କରି ତେଲ ପକାଇଥିଲେ । ହେଲେ ଦୁର୍ଭାଗ୍ୟ , ଗାଡିରୁ ଅଧାରେ ତେଲ ସରିଗଲା ଆଉ ଗାଡି ଅଟକିଗଲା ।

ବିଜେପି ଯେଉଁ ଇସ୍ତାହାର ଦେଇଛି ତାକୁ ଭଲ ଭାବେ ବୁଝିଲେ ଜାଣିପାରିବେ ସେଥିରେ ରାଜ୍ୟର ଅବସ୍ଥା କ’ଣ ହେବ । ଏଥିରେ ଯୁବଗୋଷ୍ଠୀଙ୍କ ପାଇଁ କିଛି ବି ସୁଯୋଗ ନାହିଁ । ଏଥିରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କିଛି ବିଶେଷ ସୁବିଧା ନାହିଁ । ଡବଲ ଇଞ୍ଚିନ ସରକାର ଥିବା ରାଜ୍ୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧୫ର ୨୦ ପ୍ରତିଶତ ବୃତ୍ତି ମିଳୁଛି । ହେଲେ ଓଡିଶାରେ ନବୀନ ସରକାର ଛାତ୍ରଛାତ୍ରୀଙ୍କୁ ୯୫ ପ୍ରତିଶତ ଛାତ୍ରବୃତ୍ତି ଯୋଗାଇଛି । । ଏସବୁ କେବଳ ନବୀନ ଇଞ୍ଜିନ କରିପାରିଛି ଏବଂ ଆଗକୁ ମଧ୍ୟ ଆହୁରି କରିବ । ତେଣୁ ରାଜ୍ୟବାସୀ ମନେ ରଖିବା କଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡିଶା ୨୦ ବର୍ଷ ତଳକୁ ଚାଲିଯିବ ବୋଲି ଭି କେ ପାଣ୍ଡିଆନ୍ କହିଛନ୍ତି ।