ବିଜେପିର ଆୟୁଷ୍ମାନ୍ ଯୋଜନାକୁ କଟାକ୍ଷର ତୀର ମାରିଲେ ପାଣ୍ଡିଆନ୍ । କହିଲେ, ନବୀନ ପଟ୍ଟନାୟକ ଥିଲା ଯାଏଁ, ସ୍ୱପ୍ନରେ ବି ବନ୍ଦ ହେବନି ବିଏସକେୱାଇ ।

110

କନକ ବ୍ୟୁରୋ: ଗତକାଲି ବିଜେପିର ସଙ୍କଳ୍ପ ପତ୍ର ଘୋଷଣା ପରେ, ଆଜି ଭବାନୀପାଟଣାକୁ ଏହାକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସିଧାସଳଖ ରାଜ୍ୟ ବିଜେପିକୁ ତୀର ମାରି ପାଣ୍ଡିଆନ୍ କହିଛନ୍ତି, ବିଜେପି ସରକାରକୁ ଆସିଲେ ଶହେ ଦିନ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ୍ ଯୋଜନା ଲାଗୁ କରିବାକୁ ଘୋଷଣା କରିଛି । ହେଲେ ନବୀନ ବାବୁ ଥିବା ପର୍ଯ୍ୟନ୍ତ ସ୍ୱପ୍ନରେ ବି ଏ ଲୋକପ୍ରିୟ ଯୋଜନା ବନ୍ଦ ହେବନି ।

ଅନ୍ୟପଟେ ଆସନ୍ତା ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୯ ତାରିଖ ଦିନ ସାଢେ ୧୧ଟାରୁ ସାଢେ ୧ଟା ଭିତରେ ନବୀନ ଶପଥ ନେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ୍ ।

ସେପଟେ ଆୟୁଷ୍ମାନ ଯୋଜନାକୁ ଟାର୍ଗେଟ କରି ପାଣ୍ଡିଆନ୍ କହିଛନ୍ତି, ସାରା ଭାରତ ପାଇଁ ଏଥିରେ ୬ ହଜାର କୋଟି ଅଛି । ଯେଉଁଥିରୁ ଓଡିଶାର ଭାଗ ପଡିବ ୩ ଶହ କୋଟି ଟଙ୍କା । ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ୩ ଶହ କୋଟି ଖର୍ଚ୍ଚ ହେଉଛି । ସେହିପରି ଆୟୁଷ୍ମାନ ଭାରତରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ରଖାଯାଇଛି ଏବଂ ଇନ୍ସ୍ୟୁରାନ୍ସ କମ୍ପାନୀ ଜରିଆରେ ଏ ସବୁ ହେବ । କିନ୍ତୁ ଇନ୍ସ୍ୟୁରାନ୍ସ କମ୍ପାନୀ ଆସିଲେ ଲୋକ ହଇରାଣରେ ପଡିବେ ବୋଲି କହିବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ ।

ସେହିପରି କେନ୍ଦ୍ର ସରକାର ଗର୍ଭବତୀ ମାଆମାନଙ୍କୁ ୬ ହଜାର ଟଙ୍କା ଦେଉଛି ବୋଲି କହୁଛନ୍ତି । ହେଲେ ନବୀନ ଇଞ୍ଜିନ କିନ୍ତୁ ଗର୍ଭବତୀ ମାଆମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି ବୋଲି କହିବା ସହ ବିଜେପିକୁ ତେରେଛା ତୀର ମାରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ ।