ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ଭବାନୀପାଟଣା ମଞ୍ଚରୁ ବଡ ଘୋଷଣା କଲେ ପାଣ୍ଡିଆନ ।

239

କନକ ବ୍ୟୁରୋ : ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ । ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ନିର୍ବାଚନ ଶେଷ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ କହି ପାଣ୍ଡିଆନ ମାଷ୍ଟରଷ୍ଟ୍ରୋକ ମାରିଥିବା ଚର୍ଚ୍ଚା ହେଉଛି । ଏହାସହ ପାଣ୍ଡିଆନ କହିଛନ୍ତି, ଯିଏ କହିଲେ ବି ଓଡ଼ିଶାରେ କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି ପାଣ୍ଡିଆନ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ସଭାରେ କହିଥିଲେ, ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । କିନ୍ତୁ ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଭଲ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ବିଭିନ୍ନ ଜନାଭିମୁଖୀ ଯୋଜନାର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ତେଣୁ ଏଥର ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।