ପ୍ରଣବ ପ୍ରକାଶ ଦାସଙ୍କ ମାଆଙ୍କୁ ବିଜେଡି ଟିକେଟ୍: କୋରେଇରୁ ଲଢ଼ିବେ ସନ୍ଧ୍ୟାରାଣୀ ଦାସ

517

କନକ ବ୍ୟୁରୋ: ଆଜି ଶେଷ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡି । ବାକି ଥିବା ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦେବଗଡ଼ରେ ପ୍ରାର୍ଥୀ ବଦଳାଇଛି ଦଳ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରୁ ପ୍ରାର୍ଥୀ କରିଛି ଦଳ । ଖଣ୍ଡପଡ଼ାରୁ ସରପ୍ରାଇଜ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି ସାବିତ୍ରୀ ପ୍ରଧାନ ।

ବିଜେଡିର ଶେଷ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସ । କୋରେଇରୁ ପ୍ରାର୍ଥୀ ହୋଇଛନ୍ତି ସଂଧ୍ୟାରାଣୀ । କୁହାଯାଏ, କୋରେଇ ହେଉଛି ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ଗଡ଼ । ୧୯୭୪ ମସିହାରୁ କୋରେଇରୁ ୬ ଥର ଜିତି ବିଧାୟକ ହୋଇଥିଲେ ଅଶୋକ ଦାସ । ଏହି ଅନୁକମ୍ପାକୁ ଦୃଷ୍ଟିରେ ରଖି ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେଡି ।

କୋରେଇରୁ ସଂଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରି ବିଜେଡି ମାଷ୍ଟରଷ୍ଟ୍ରୋକ ଖେଳିଥିବା ବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ଟିକେଟ ଦେଇଛି ଦଳ । ଅନ୍ତିମ ପର୍ଯ୍ୟାୟରେ ବିଜେଡି ବାକି ୩ଟି ଆସନ ଘୋଷଣା କରିଥିବା ବେଳେ ଦେବଗଡ଼ର ପ୍ରାର୍ଥୀ ବଦଳାଇଛି ଦଳ । ଦେବଗଡ଼ରୁ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ରୋମାଂଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡି । ନିକଟରେ ବିଜେପିରୁ ଇସ୍ତଫା ଦେଇ ଅରୁନ୍ଧତୀ ବିଜେଡିରେ ମିଶିଥିଲେ । କିନ୍ତୁ ଶେଷ ମୁହୂର୍ତରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ଏପଟେ ଖଣ୍ଡପଡ଼ା, କୋରେଇ ଓ ଦେବଗଡ଼ ବିଧାନସଭା ମଇଦାନ ଚୂଡ଼ାନ୍ତ ହୋଇଛି ।

ଆସନ ବିଜେଡି ବିଜେପି କଂଗ୍ରେସ
ଖଣ୍ଡପଡା ସାବିତ୍ରୀ ପ୍ରଧାନ ଦୁଷ୍ମନ୍ତ ସ୍ୱାଇଁ ବୈଜୟନ୍ତୀମାଳା ମହାନ୍ତି
କୋରେଇ ସନ୍ଧ୍ୟାରାଣୀ ଦାସ ଆକାଶ ଦାସନାୟକ ବନ୍ଦିତା ପରିଡା
ଦେବଗଡ ରୋମାଂଚ ରଂଜନ ବିଶ୍ୱାଳସୁବାସ ପାଣିଗ୍ରାହୀ ସେମ୍ ହେମ୍ବ୍ରମ୍