ଦମ୍ ଦେଖାଇଲେ ଧର୍ମେନ୍ଦ୍ର ପ୍ରଧାନ: ବିରାଟ ପଟୁଆର ଯାଇ ଦାଖଲ କଲେ ନାମାଙ୍କନ

56

କନକ ବ୍ୟୁରୋ: କେନ୍ଦ୍ରରେ ୪ଶହ ପାର, ଓଡ଼ିଶାରେ ଡବଲ ଇଂଜିନ ସରକାରର ନାରା ଦେଉଥିବା ରାଜ୍ୟ ବିଜେପିର ଶୀର୍ଷ ନେତା ଆଜି ନାମାଙ୍କନ ଦାଖଲ କରିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଳାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଳାଇବା ପରଠାରୁ ସମ୍ବଲପୁର ସମୀକରଣ ବଦଳିବା ନେଇ ଆଶା କରାଯାଉଛି ।

ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ପ୍ରତ୍ୟକ୍ଷ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ନାମାଙ୍କନ ଦାଖଲ ଶୋଭାଯାତ୍ରା ସହ ସମ୍ମାନର ଆସନ କୁହାଯାଉଥିବା ସମ୍ବଲପୁର ଲଢ଼େଇ ପାଇଁ ବିଧିବଦ୍ଧ ଭାବେ ମୂଳଦୂଆ ପକାଇଛନ୍ତି । ନାମାଙ୍କନ ଦାଖଲ ପାଇଁ ଧର୍ମେନ୍ଦ୍ର ଯେତେବେଳେ ବିରାଟ ପଟୁଆରରେ ବାହାରିଥିଲେ ହଜାର ହଜାର ସମର୍ଥକ ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ । ମା’ସମଲେଶ୍ୱରୀଙ୍କ ଦର୍ଶନ ପରେ ବିଶାଳ ଶୋଭାଯାତ୍ରାରେ ରାମଜୀ ମନ୍ଦିର, ବାଲିବନ୍ଧ, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡ଼ା, ଦଲେଇପଡ଼ା ଓ ମୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ନାମାଙ୍କନ ଏଥିପାଇଁ ଗୁରୁତ୍ୱ ରଖୁଛି କାରଣ, ଏକାଧିକ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଧର୍ମେନ୍ଦ୍ର ଦୀର୍ଘ ବର୍ଷର ବ୍ୟବଧାନ ପରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଯଦିଓ ଦେବଗଡ଼ ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ନିର୍ବାଚିତ ହୋଇଥିଲେ ଏବଂ ପାଲଲହଡ଼ା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇ ଶ୍ରେଷ୍ଠ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ, ତଥାପି ୨୦୨୪ ଲଢ଼େଇ ବେଶ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି । କାରଣ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ୪ଶହ ପ୍ଲସ୍ ନାରା ଦେଉଥିବା ବେଳେ ବିଜେପି ନେତୃତ୍ୱ ଡବଲ୍ ଇଂଜିନର ଆହ୍ୱାନ ଦେଇଛନ୍ତି । ଏଭଳି ସ୍ଥିତିରେ ସମ୍ବଲପୁର ଲଢ଼େଇ ଉପରେ ରହିଛି ସାରା ଓଡ଼ିଶାର ନଜର ।

ବିଜେପି ନେତାଙ୍କ ଏହି ଦମ୍ଭୋକ୍ତି ଭିତରେ ସମ୍ବଲପୁରରେ ଏକ ବଡ଼ ଲଢ଼େଇ ଦେଖିବାକୁ ଯାଉଛି ଓଡ଼ିଶା । କାହିଁକି ନା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ନରେଗନ୍ଦ୍ର ପ୍ରଧାନ ମୁକାବିଲା କରିବାକୁ ଯାଉଛନ୍ତି । ତେବେ ଦେଖିବାକୁ ବାକି ରହିଛି, କାହାକୁ ବାଛିବେ ସମ୍ବଲପୁର ଭୋଟର୍?