ଆଜି ଆମେଥି, ରାଏବରେଲୀ ପ୍ରାର୍ଥୀ ଉପରୁ କଂଗ୍ରେସ ହଟାଇପାରେ ସସପେନ୍ସ । ମଲିକାର୍ଜୁନ ଓ ରାହୁଲଙ୍କ ବୈଠକପରେ ଆସିପାରେ ନିର୍ଣ୍ଣାୟକ ନିଷ୍ପତି

64

କନକ ବ୍ୟୁରୋ : ଆଜି କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କୌଣସି ସମୟରେ ଆସିପାରେ ହାଇପ୍ରୋଫାଇଲ ଅ।।ସନ ଆମେଠି ଓ ରାଏବରେଲୀ ପାଇଁ ପ୍ରାର୍ଥୀଙ୍କ ନାଁ । କଂଗ୍ରେସର ଏହି ଦୁଇ ପାରମ୍ପାରିକ ଆସନରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ବେଶ କିଛି ଦିନ ହେବ ଯେଉଁ ଅପେକ୍ଷା ଥିଲା ତାହା ହୁଏତ ଆଜି ଶେଷ ହୋଇପାରେ । ଆମେଠିରୁ ରାହୁଲ ଓ ରାଏବରେଲୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢ଼ିବା ନେଇ ପ୍ରଥମରୁ ଚର୍ଚ୍ଚା ହୋଇଆସୁଛି କିନ୍ତୁ ଦଳର ଘୋଷଣାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଏବେ ନଜର ପକାଇବା କଂଗ୍ରେସର ପାରମ୍ପାରିକ ଆସନ ରାଏବରେଲୀ ଉପରେ । ୧୯୫୧ରୁ ରାଏବରେଲିକୁ ଆସନରେ ଗାନ୍ଧୀ ପରିବାରର ସଦସ୍ୟ ଲଢ଼ିଆସୁଛନ୍ତି, ଆଉ କେବଳ ୩ ଥର ଏହି ଆସନରୁ ଗାନ୍ଧୀ-ନେହେରୁ ପରିବାରର କୌଣସି ସଦସ୍ୟ ନିର୍ବାଚନ ହାରିଛି । ଏପରି ସ୍ଥିତିରେ ରାଏବରେଲିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । କିଛି ବର୍ଷରେ ରାଏବରେଲିରେ କଂଗ୍ରେସ ପ୍ରତି ସମର୍ଥନ କମୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି କଂଗ୍ରେସ ସମର୍ଥନରେ ମିଳୁଥିବା ଭୋଟ୍ ପ୍ରତିଶତ କମିଛି । ୨୦୦୯ରେ ରାଏବରେଲିରେ କଂଗ୍ରେସ ପ୍ରତି ସମର୍ଥନ ୭୨ ପ୍ରତିଶତ ଥିବା ବେଳେ ୨୦୧୪ ବେଳକୁ ଏହା ୬୩ ପ୍ରତିଶତକୁ କମିଯାଇଥିଲା । ପୁଣି ୨୦୧୯ ବେଳକୁ ଏହି ସମର୍ଥନ କମି ୫୫ ପ୍ରତିଶତକୁ ଆସିଯାଇଥିଲା ।

ଏଭଳି ସ୍ଥିତିରେ ରାଏବରେଲୀ ଆସନ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଦାବିଦାର । ରାଏବରେଲୀରୁ ହିଁ ପ୍ରିୟଙ୍କା ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଚାଲିଛି । ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେଉଁ ଦୁଇଟି ଆସନ ଦୀର୍ଘବର୍ଷ ଧରି କଂଗ୍ରେସ ସମ୍ମାନ ରକ୍ଷା କରି ଆସୁଛି ତା ପାଇଁ ଦଳ କି ପ୍ରକାର ନିଷ୍ପତି ନେବ? କାହାକୁ ପ୍ରାର୍ଥୀ କରିବ? ବିଜେପିକୁ ମାତ ଦେବାକୁ କ’ଣ ରହିବ ଦଳର ରଣନୀତି ? ସେସବୁ ପ୍ରଶ୍ନର ଉତର ଆଜି ମିଳିପାରେ । ଅନ୍ୟପଟେ ଶନିବାର କଂଗ୍ରେସର ସିଇଡବ୍ଲ୍ୟୁ ବୈଠକରେ ଉଭୟ ଆସନ ପାଇଁ କିଏ ହେବେ ପ୍ରାର୍ଥୀ ତାଉପରେ ମୋହର ବାଜିସାରିଥିବା କୁହାଯାଉଛି । କଂଗ୍ରେସ କମିଟି ପକ୍ଷରୁ ଆମେଠିରେ ରାହୁଲ ଓ ରାଏବରେଲୀରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ସୁପାରିଶ କରାଯାଇଛି ।

ସୋନିଆ ଗାନ୍ଧୀ ଏହି ଆସନରୁ ଲଗାତର ଲୋକସଭା ଆସନ ଲଢ଼ି ବିଜୟୀ ହୋଇଛନ୍ତି । ଏପରିକି ଦେଶରେ ମୋଦୀ ମ୍ୟାଜିକ କିମ୍ବା ବିଜେପିର ପ୍ରଚାର ମେସିନ କଂଗ୍ରେସ ଠାରୁ ରାଏବରେଲି ଆସନ ଛଡ଼ାଇପାରି ନାହିଁ । ହେଲେ ୨୦୨୪ରେ ରାଏବରେଲି ଆସନରେ କ’ଣ ଘଟିବ, ତାକୁ ନେଇ ଚର୍ଚ୍ଚା ବଢ଼ିଛି ।