କିଶୋରଙ୍କ ମନାଇବା ପାଇଁ ବିଜେଡି ନେତାଙ୍କ ରୁଦ୍ଧ ଦ୍ୱାର ବୈଠକ । ଝାରସୁଗୁଡାରେ ଡେରା ପକାଇଲେ ପ୍ରଣବ ଓ ସଞ୍ଜୟ, ବୈଠକ ପରେ ନବ ଓ କିଶୋର ହାତ ମିଳାଇଥିବା ଚର୍ଚ୍ଚା

212

କନକ ବ୍ୟୁରୋ : ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବାକୁ ଯାଉଥିବାବେଳେ କିଶୋର ମହାନ୍ତିଙ୍କ ସମର୍ଥକଙ୍କ ମହଲରେ ସଂଶୟ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କିଶୋରଙ୍କୁ ବୁଝାଇବା ପାଇଁ ଝାରସୁଗୁଡାରେ ଡେରା ପକାଇଛନ୍ତି ବିଜେଡିର ଷ୍ଟ୍ରାଟେଜିଷ୍ଟ ନେତା । କିଶୋର ସମର୍ଥକଙ୍କୁ ବୁଝାଇବାକୁ ଗୁରୁବାର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡା ଆସି ଏକ ହୋଟେଲରେ ଦୀର୍ଘ ୪ଘଂଟା ଧରି ଆଲୋଚନା କରିଛନ୍ତି । ଏହି ବୈଠକରେ କିଶୋର ମହାନ୍ତିଙ୍କ ସମେତ ଅନୁପ ସାଏ, ବିଜେଡି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ବହୁ ନେତା ଓ ଛାମୁଆ କର୍ମୀ ଯୋଗ ଦେଇଥିଲେ ।

କର୍ମୀମାନେ କିଶୋର ମହାନ୍ତିଙ୍କ ସମ୍ମାନରେ ଆଞ୍ଚ ଆସିବା ଭଳି ପଦକ୍ଷେପ ନନେବାକୁ ଅନୁରୋଧ କରିଥିଲେ । ଝାରସୁଗୁଡାରେ ବିଜେଡି ଟିକେଟ କାହାକୁ ଦିଆଯିବ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ନିଷ୍ପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ । ଓ ସୁପ୍ରିମୋଙ୍କ ନିଷ୍ପତିକୁ ସମସ୍ତ କର୍ମୀ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସଞ୍ଜୟ ଓ ପ୍ରଣବ । ଯାହାକୁ କିଶୋର ମାନି ନେଇଥିବା ଚର୍ଚ୍ଚା ହେଉଛି । କେବଳ କିଶୋର ନୁହେଁ ନବ ଦାସଙ୍କ ସହ ମଧ୍ୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଏହି ଦୁଇ ନେତା । ବୈଠକ ପରେ ଉଭୟ କିଶୋର ଓ ନବ ହାତ ମିଳାଇଥିବା ଚର୍ଚ୍ଚା ।

ଅନ୍ୟପଟେ ବିଶୃଙ୍ଖୁଳିତ ଆଚରଣ ପାଇଁ ନବଙ୍କ ପରେ ଗତକାଲି ଯୋଗେଶ ସିଂଙ୍କୁ ଦଳରୁ ସସପେଣ୍ଡ କରିଛି କଂଗ୍ରେସ । ତେଣୁ ଯୋଗେଶ ଆଗାମୀ ଦିନରେ କେଉଁ ଦଳରେ ଯୋଗ ଦେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯୋଗେଶ ଖୁବଶୀଘ୍ର ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଆଉ ଏଭଳି ସ୍ଥିତିରେ ପଶ୍ଚିମ ଓଡିଶାରେ କଂଗ୍ରେସ ଗଡ ଏକପ୍ରକାର ଧ୍ୱସ୍ତ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।