ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ, ବର୍ଷାଙ୍କ ସମ୍ପର୍କରେ ଟିପଣୀ ଦେବା ପରେ ବିଜେଡି ଟାର୍ଗେଟରେ ଜୟନାରାୟଣ ମିଶ୍ର। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ଦଳ।

259

କନକ ବ୍ୟୁରୋ: ବରିହାଙ୍କୁ ଦିନେ ବିଧାନସଭାରେ ଭେଟି କହିଲି- ଝିଅ ବାହା କଲ, ଭୋଜି ଦେଲନି ? ସେ କହିଲେ ମୋତେ ଚିଡ଼ାଉଛ କି ବୋଲି କହିଲେ । ମୁଁ କହିଛି ଚିଡ଼ାଉନି, ଝିଅ ବାହା କରିବ ଭୋଜି ଗୋଟେ ଦେବନି ? ଏମିତି କଥା କାହିଁକି କହୁଛି? ମୁଁ କହିଛି କ’ଣ ହେଲା? ସେ ଝିଅ ତ’ ପଳେଇ ଯାଇଛି, ମୁଁ କେମିତି ଭୋଜି ଦେବି କହିଲ । ଥରେ ଚିନ୍ତା କରନ୍ତୁ ଯିଏ ବାପାର ହୋଇପାରିଲାନି ସେ ତୁମର ହେବ କି? ଯିଏ ବାପା ଘରର ହୋଇପାରିଲେନି ସେ ତୁମର ହେବ କି?

ରାଜନୀତିରେ ଯେତେବେଳେ ବିବାଦୀୟ ଏଭଳି ଆସେ, ସ୍ୱାଭାବିକ୍ ଭାବେ ମନରେ ପ୍ରଶ୍ନ ଆସେ, ରାଜନୀତିଠୁ ଦୂରେଇ ଯାଉଛି କି ଶାଳିନତା? ଦୁଇ ନେତାଙ୍କ ମଧ୍ୟରେ ହେଉଥିବା ବ୍ୟକ୍ତିଗତ ଆଲୋଚନାକୁ ସର୍ବଧାରଣରେ ରଖି, ବିବାଦକୁ ନିଜେ ଡାକିଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଆଉ ବିଜେଡିକୁ ମିିଳିଯାଇଛି ଟାର୍ଗେଟ କରିବା ପାଇଁ ବଡ଼ ସୁଯୋଗ । ପଦ୍ମପୁର ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ରଖିଥିବା ଏହି ବୟାନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ଶାସକ ବିଜେଡି । ବିଜେପି ନେତାଙ୍କ ବୟାନକୁ ଅପମାନଜକ ଏବଂ ମହିଳାଙ୍କ ପ୍ରତି ସମ୍ମାନ ବୋଲି ଅଭିଯୋଗ କରିଛି । ସେହିପରି ପୂର୍ବରୁ ଅପରାଧିକ ମାମଲାରେ ଜୟନାରାୟଣ ମିଶ୍ର ସମ୍ପୃକ୍ତ ଥିବାରୁ ତାଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖାଯାଉ ବୋଲି ବିଜେଡି ଦାବି କରିଛି ।

ଗତକାଲିର ବୟାନକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ସେଇ ସମାନ ଢ଼ଙ୍ଗରେ ଆଉ ଏକ ବୟାନ ରଖିଛନ୍ତି ସମ୍ବଲପୁର ବିଧାୟକ । ମଞ୍ଚ ଉପରେ ଭାଷଣ ଦେବା ବେଳେ ଜୟନାରାୟଣ ମିଶ୍ର ଅଭିଯୋଗ କରି କହିଛନ୍ତି- ବିଜେପୁର ଭଳି ପଦ୍ମପୁରରେ ବିଜେଡି ଦଳ ଏକ ସଖୀ କଣ୍ଢେଇ ବସେଇବାକୁ ଚାହୁଁଛି । ସେହିପରି ଆଉ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି- ଯେଉଁ ଝିଅ ବାପାଙ୍କ ମୃତ୍ୟୁ ବେଳେ କାନ୍ଦିଲେ ନାହିଁ । ଏବେ ଆଖିରେ ପିପରମେଣ୍ଟ ଲଗାଇ କାନ୍ଦୁଛନ୍ତି । ଭୋଟ ପାଇଁ ନେତାଙ୍କ ବୟାନବାଜି ଲଗାମଛଡ଼ା ହେଉଥିବା ବେଳେ ଦୁଇ ଦଳ ମଧ୍ୟରେ କଥା କଟାକଟି ତୀବ୍ର ହେବାରେ ଲାଗିଛି ।