କେନ୍ଦୁଝରରେ ନବୀନଙ୍କ ପ୍ରଚାର । ସଭାସ୍ଥଳରୁ ବିରୋଧୀଙ୍କୁ କଲେ ଟାର୍ଗେଟ୍ 

232

କନକ ବ୍ୟୁରୋ: କେନ୍ଦୁଝରରେ ନବୀନଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । କହିଲେ. ଆପଣମାନେ ମତେ କୁହନ୍ତୁ ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ଫାଇଭ-ଟି ସ୍କୁଲ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବୋଲି ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନବୀନଙ୍କ ପ୍ରଶ୍ନ ପରେ ଲୋକଙ୍କ ହଁ ଉତ୍ତରରେ ସଭାସ୍ଥଳ କମ୍ପିଛି ।

ସେପଟେ ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତ ? ବୋଲି କହି ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତାସହ ନିଜ ଭାଷଣରେ ବିରୋଧୀଙ୍କୁ ପୁଣି ନିଶାନା କରିଛନ୍ତି । ନବୀନ କହିଛନ୍ତି, ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବାସ୍ ଏହି ଦୁଇ ଲାଇନ୍ କହି ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ ନବୀନ । ଗତ ଦୁଇ ଦିନ ତଳେ ନବୀନ ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ବିରୋଧୀଙ୍କ ପରି ଅପମାନଜନକ ଭାଷା ପ୍ରୟୋଗ କରିବାକୁ ପସନ୍ଦ କରନ୍ତିନି କି ସେଭଳି ଅପଶବ୍ଦ ଓଡିଶାବାସୀ ଗ୍ରହଣ କରନ୍ତିନି ବୋଲି କହିଥିଲେ ।