ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ

150

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ । ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ଗହିଳି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଇଁ ସମ୍ଭବ ହୋଇନଥିଲା । ରାପିଡ୍ ଆକ୍ସନ ଫୋର୍ସକୁ ଡକାଯାଇଥିଲା । ରାପିଡ୍ ଆକ୍ସନ ଫୋର୍ସ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିଛିି । ତେବେ ଭିଡ ଦୃଷ୍ଟିରୁ ବର୍ତମାନ ପାଇଁ ଅଯୋଧ୍ୟା ନ ଆସିବାକୁ ଅଯୋଧ୍ୟା ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି ।

ଶ୍ରୀରାମ ମନ୍ଦିରର ଦ୍ୱାର ଫିଟିବା ମାତ୍ରେ ଛୁଟି ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ରାମଲାଲ୍ଙ୍କ ଗୋଟିଏ ଝଲକ ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଗୋଟିଏ ଲୟରେ ମନ୍ଦିର ଅଭିମୁଖେ ଧାଇଁଥିଲେ । ହାଡ଼ ଭଙ୍ଗା ଶୀତକୁ ଖାତିର୍ ନଥିଲା, କି ଲମ୍ବା ଲାଇନ୍ରେ ଅପେକ୍ଷା କରିବାକୁ ଚିନ୍ତା ନଥିଲା । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ, ସବୁ ବୟସବର୍ଗର ଭକ୍ତ, ପ୍ରଭୁଙ୍କ ମଧ୍ୟରେ ସେଇ ସମାନ ଉତ୍ସାହ ଥିଲା ।

ରାମଲାଲାଙ୍କ ଦର୍ଶନ ପାଇଁ ରାତି ୩ଟାରୁ ଲୋକେ ଭିଡ଼ ଜମାଇଥିଲେ । ସକାଳ ୭ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିଥିଲା ମନ୍ଦିର । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଛି ।

ତେବେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି, ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ଦୃଷ୍ଟିରୁ ରାପିଡ୍ ଆକ୍ସନ ଫୋର୍ସ ମୃତୟନ କରାଯାଇଛି ।