ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା

111

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ବ୍ୟବହାର କରିବ ଭୁବନେଶ୍ୱର ଏମ୍ସ । ଡ୍ରୋନ ଜରିଆରେ ମେଡିକାଲ ଉପକରଣ, ରକ୍ତ ଓ ଔଷଧ ପଠାଯିବ । ଏଥିପାଇଁ ଆଜି କରାଯାଇଥିବା ଟ୍ରାଏଲ ରନ ସଫଳ ହୋଇଛି । ଏମ୍ସରୁ ଡ୍ରୋନ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇଥିଲା ଫେରିଥିଲା ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସକୁ ମିଳିଛି ଏକ ବଡ ସଫଳତା । ଆଗକୁ ଡ୍ରୋନ୍ ଯୋଗେ ଗୁରୁତର ରୋଗିଙ୍କ ପାଖକୁ ପଠାଯିବ ରକ୍ତ, ମେଡିସିନ, ପ୍ଲେଟଲେଟ ଭଳି ଗୁରୁତ୍ୱପୁର୍ଣ ସାମଗ୍ରୀ । ବିଶେଷକରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଡ୍ରୋନ ସେବା ଗୁରୁତର ରୋଗୀ ମାନଙ୍କ କ୍ଷେତ୍ରରେ ଅନେକ ସହାୟକ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ କ୍ରମେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଏହି ଡ୍ରୋନର ସଫଳ ପରିକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ମାଧ୍ୟମରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇ କେଜି ଓଜନର ରକ୍ତ ଓ ଔଷଧ ପଠାଯାଇଛି । ଭାରତରେ ଅତ୍ୟାଧୁନିକ ଜ୍ଞାନକୈଶଳରେ ନିର୍ମିତ ହୋଇଥିବା ଏହି ଡ୍ରୋନ ସଫଳତାର ସହ ରକ୍ତ ଓ ଔଷଧ ନେଇ ଟାଙ୍ଗି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇବା ସହ ପୁଣିଥରେ ଏମ୍ସ ହସ୍ପିଟାଲକୁ ସଫଳତାର ସହ ଫେରିଛି ।

ଡ୍ରୋନରେ ରହିଛି ଅନେକ ବିଶେଷତ୍ୱ
ସ୍ୱାସ୍ଥ୍ୟସେବାକୁ କରିବ ସହଜ
ନଜର ପକାନ୍ତୁ ଏହି ନୁତନ ଡ୍ରୋନର କିଛି ବିଶେଷତ୍ୱ ଉପରେ ।
-ଏହି ଡ୍ରୋନ୍ ମାଧ୍ୟମରେ ୨ରୁ ୫ କେଜିର ସାମଗ୍ରୀ ପରିବହନ କରାଯାଇପାରିବ
-ଏହି ଡ୍ରୋନ୍ ଏକାକାଳୀନ ୮୦ କିଲୋମିଟର ଯାଇ ପୁଣି ଫେରି ଆସିପାରିବ
-ରକ୍ତ, ଔଷଧ, ନମୂନା, ପ୍ଲେଟଲେଟ, ମେଡିକାଲ ଉପକରଣ ନେଇ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରିବ
-ଅପହଂଚ ଅଂଚଳରେ ଆରାମରେ ଓ ଅଳ୍ପ ସମୟ ମଧ୍ୟରେ ପହଂଚି ପାରିବ
-ମୋବାଇଲ, ଟାବଲେଟ କିମ୍ବା ଲାପଟପ୍ ମାଧ୍ୟମରେ ଏହାକୁ ଟ୍ରାକ କରାଯାଇପାରିବ

ଅନେକ ସମୟରେ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଛି ଅଂଚଳରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପହଂଚିବାରେ ବିଳମ୍ବ ହୋଇଥାଏ । ଏହିସବୁ ପରିସ୍ଥିତିରେ ଏହି ଡ୍ରୋନ ସେବା ଗୁରୁତର ରୋଗୀଙ୍କ ପାଇଁ ସହାୟକ ହେବ ।