ବିଲ୍ ଦେବାକୁ ବିଳମ୍ବ କରିବାରୁ ସହକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରୁ ଆସିଲା ଏଭଳି ଚିତ୍ର

2,438

କନକ ବ୍ୟୁରୋ: ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ଼ । ବିଲ୍ ପାସ କରିବାରେ ବିଳମ୍ବ ହେବାରୁ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରିଛନ୍ତି ଠିକାଦାର ଗୋଷ୍ଠୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ବ୍ଲକରୁ କାମ ନେଇ ଠିକାଦାର କରୁଥିଲେ ଉନ୍ନୟନ କାମ । ହେଲେ ଉକ୍ତ ଉନ୍ନୟନ କାମର ବିଲ୍ ପାସ୍ କରିବାରେ ବିଳମ୍ବ କରୁଥିଲେ ଅଧିକାରୀ । ଯାହାକୁ ନେଇ ତାତିଛନ୍ତି ଠିକାଦାର ଗୋଷ୍ଠୀ । ବ୍ଲକରେ ଉନ୍ନୟନ କାମ କରୁଥିବା କିଛି ଠିକାଦାର ଗୋଷ୍ଠୀ ବ୍ଲକର ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଛନ୍ତି ।

ଉଦଳା ବ୍ଲକ ଅଧିନରେ ଥିବା ବିଭିନ୍ନ ପଂଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି । ଏହି କାମ ଗୁଡିକର ବିଲ୍ ପାସ୍ କରିବା ନିମନ୍ତେ କିଛି ଠିକାଦାର ବ୍ଲକ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ସୁବାଷ ପ୍ରକାଶ ସାହୁଙ୍କ ନିକଟରେ ପହଞ୍ଚିିଥିଲେ । ଠିକାଦାରମାନେ ତୁରନ୍ତ ବିଲ୍ ପାସ୍ କରିବାକୁ ଦାବି କରିଥିଲେ । ହେଲେ ଅଧିକାରୀ ଏଥିରେ ରାଜି ନ ହେବାରୁ ଠିକାଦାରମାନେ ମିଳିତ ଭାବେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏ ବାବଦରେ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।