ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । ନୂଆପଡ଼ା ଖରିଆର ରୋଡରେ ପୁରୀ-ଦୂର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ । ପ୍ରାଣ ବିକଳରେ ଟ୍ରେନରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ

415

କନକ ବ୍ୟୁରୋ: ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । ଦିନକ ବ୍ୟବଧାନ ପରେ ପୁଣି ଟ୍ରେନରେ ଅଘଟଣ । ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ରେଲୱେ ଷ୍ଟେସନରେ ଏହି ନିଆଁ ଲାଗିଥିଲା । ଖରିଆର ରୋଡ୍ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିି ତୁରନ୍ତ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବା ପରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଦୌଡ଼ିବାରେ ଲାଗିଥିଲେ । ବ୍ରେକ୍ ସୁ’ ଘଷି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଅାଁ ଲାଗିଥିବା ନେଇ ଯାତ୍ରୀମାନେ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କୋମଖାନା ଷ୍ଟେସନରେ ବିଶେଷ ସୁବିଧା ନଥିବାରୁ ରେଲୱେ କର୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ ଖରିଆରରୋଡ୍ ଷ୍ଟେସନକୁ ଆଣିଥିଲେ । ଟ୍ରେନର ଏକ ଏସି ବଗି ଚକର ବ୍ରେକ ବାଇଣ୍ଡିଂରେ ଘଷି ହୋଇ ନିଆଁ ଲାଗିଥିଲେ । ଫଳରେ ସେଠାରୁ ପ୍ରବଳ ଧୂଆଁ ବାହାରୁ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ସବୁ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଂଟା ପରେ ରାତି ପ୍ରାୟ ୧୧ଟା ବେଳେ ଟ୍ରେନଟି ଖରିଆରରୋଡ୍ ଛାଡ଼ିଥିଲା । ସପ୍ତାହକ ମଧ୍ୟରେ ଓଡ଼ିଶାରେ ତୃତୀୟଥର ପାଇଁ ଏଭଳି ଟ୍ରେନ୍ ଦୁର୍ଘଟଣା ଘଟିଛି । ଗତ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀ ପ୍ରାଣ ହରାଇଥିଲେ । ଏହାର ୫ ଦିନ ପରେ ଅର୍ଥାତ୍ ୭ ତାରିଖରେ ଯାଜପୁର ରୋଡରେ ଇଞ୍ଜିନବିହୀନ ମାଲଗାଡ଼ିରେ ୬ଜଣ ଶ୍ରମିକ କଟିଯାଇଥିଲେ । ବାରମ୍ବାର ଏଭଳି ଦୁର୍ଘଟଣା ଘଟିବା ରେଳୱେ ବିଭାଗ ପାଇଁ ସମସ୍ୟା ଛିଡ଼ା କରିଛି ।