ମାଆ ହେବାର ସଠିକ୍ ସମୟ କେତେ? ଜାଣନ୍ତୁ, କଣ କହିଲେ ଆସାମ ମୁଖ୍ୟମନ୍ତ୍ରୀ…

2,082

କନକ ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅଧିକାଂଶ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ହିମନ୍ତ ବିଶ୍ୱଶର୍ମା ଗୋଟିଏ କାର୍ଯ୍ୟକ୍ରମରେ ମହିଳାମାନଙ୍କର ମା ହେବାର ପ୍ରକୃତ ବୟସ କେତେ ହେବା ଉଚିତ୍ ତାହା କହିଛନ୍ତି । ସେ କହିଛନ୍ତି ଯେ, ମାଆ ହେବାର ସଠିକ୍ ବୟସ ରହିଛି, ଏପରି ନହେଲେ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସରକାର ବାଲ୍ୟ ବିବାହ ଓ କମ ବୟସରେ ମାତୃତ୍ୱକୁ ନେଇ କଡା ଆଇନ୍ ପ୍ରଣୟନ କରିଛି । ଏପରିକି ଏପରି ନିୟମକୁ ପକ୍ସୋ ଅଧିନିୟମ ଅନ୍ତର୍ଭୁକ୍ତ କରାଯାଇଛି ।

ହିମନ୍ତ ବିଶ୍ୱଶର୍ମାଙ୍କ କହିବା କଥା, ଆଗାମୀ ୫ରୁ ୬ ମାସ ଭିତରେ ଏପରି ଅନେକ ଲୋକଙ୍କୁ ଗିରଫ କରାଯିବ । ଯେଉଁମାନେ କି ୧୪ ବର୍ଷରୁ କମ୍ ବୟସର ଝିଅଙ୍କ ସହ ଯୌନ ସମ୍ପର୍କ ରଖିଛନ୍ତି । ଆଇନ୍ ଅନୁସାରେ ଏହା ଅପରାଧ ଅଟେ । ସ୍ୱାମୀ ହେଇଥିଲେ ମଧ୍ୟ ସେମାନଙ୍କୁ ଏଥିପାଇଁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଆଇନ୍ ଅନୁସାରେ ଯେଉଁ ଝିଅ ୧୮ ବର୍ଷରୁ କମ ବୟସରେ ବିବାହ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଏହି ନିୟମ ଭଙ୍ଗ କରିଥିଲେ ଆଜୀବନ କାରାବାସ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ମାତୃତ୍ୱକୁ ନେଇ ହିମନ୍ତ ବିଶ୍ୱଶର୍ମା ମତ ରଖିବା ସହିତ ଜଣେ ମହିଳା ୨୨ରୁ ୩୦ ବର୍ଷ ଭିତରେ ମାଆ ହେବା ଉଚିତ୍ ବୋଲି କହିଛନ୍ତି । ମାଆ ହେବାକୁ ମହିଳାମାନେ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ ନୁହେଁ । ଏପରି କଲେ ମହିଳାମାନଙ୍କୁ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ତେବେ ଭଗବାନ ଆମ ସମସ୍ତଙ୍କ ଶରୀରକୁ ଏମିତି କରିଛନ୍ତି, ଯେଉଁଥିରେ ପ୍ରତିଟି କାମ ପାଇଁ ଉପଯୁକ୍ତ ବୟସ ରହିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଆସାମ କ୍ୟାବିନେଟ୍ ସୋମବାର ୧୪ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କଲେ ପୁରୁଷଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ଦାୟର କରିବାକୁ ନିଷ୍ପତ୍ତି ନେଇଛି । ଏଥିସହିତ ୧୪ରୁ ୧୮ ବର୍ଷ ବୟସର ଝିଅଙ୍କ ବିବାହକୁ ମଧ୍ୟ ବାଲ୍ୟ ବିବାହ ଅନୁସାରେ ନିଷେଧ କରିଛି । ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାରକୁ ଲଗାମ ଲଗାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।