ଏସିଆ କପର ସବୁଠୁ ବଡ଼ ମ୍ୟାଚ । ଖେଳ ହେବ ନା ଧୋଇଯିବ ? ବର୍ଷାକୁ ନେଇ ଚିନ୍ତାରେ କ୍ରୀଡାପ୍ରେମୀ

281

କନକ ବ୍ୟୁରୋ : ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ ଶନିବାର ସବୁଠୁ ବଡ଼ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ହେଲେ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ଦୁଇ ଦେଶର କ୍ରିକେଟ ପ୍ରେମୀ ଚିନ୍ତାରେ ପଡିଯାଇଛନ୍ତି । କାରଣ ଶ୍ରୀଲଙ୍କାର ପାଲକେଲେ ଅଂଚଳରେ ଶନିବାର ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୯୧ % ବର୍ଷା ହେବା ନେଇ ଆଶଙ୍କା ଥିବା ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଯଦି ସେପରି କୌଣସି ଅଲୌକିକ ଘଟଣା ନହୁଏ ତେବେ ମ୍ୟାଚ ବାତିଲ ହେବା ସ୍ପଷ୍ଟ ।

ଯଦି ଭାରତ -ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜେ ତେବେ ଆଇସିସି ବିକଳ୍ପ ପନ୍ଥା ବ୍ୟବସ୍ଥା କରିଛି । ବର୍ଷା ହୋଇ ଛାଡିଗଲେ ଅତି କମରେ ୨୦ ଓଭର ବିଷିଷ୍ଟ ମ୍ୟାଚ ଖେଳାଯାଇପାରେ । ଯଦି ଆଦୌ ଖେଳିବା ସମ୍ଭବ ନହୁଏ, ତେବେ ଦୁଇ ଦେଶ ମଧ୍ୟରେ ପଏଂଟ ଭାଗ ହେବ । ଏବଂ ପାକିସ୍ତାନ ସୁପର-୪ ଷ୍ଟେଜକୁ ଉତିର୍ଣ୍ଣ ହୋଇଯିବ । ସୁପର-୪ ଷ୍ଟେଜକୁ ଯିବାକୁ ହେଲେ ଭାରତ ପରବର୍ତି ମ୍ୟାଚରେ ନେପାଳକୁ ହରାଇବାକୁ ପଡିବ । ଯଦି ବର୍ଷା ନହୁଏ, ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ଆଉ ଟୁର୍ଣ୍ଣାମେଂଟ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଥିବା କେ.ଏଲ ରାହୁଲଙ୍କ ବଦଳରେ ଇସାନ୍ କିଶାନଙ୍କୁ ସୁଯୋଗ ମଳିବ ବୋଲି କୁହାଯାଉଛି ।

ଏସିଆ କପ୍ ଇତିହାସରେ ଭାରତ-ପାକିସ୍ତାନ ମଧ୍ୟରେ ୧୩ ଥର ମୁକାବିଲା ହୋଇଛି । ସେଥିରୁ ଭାରତ ୭ ଟିରେ ଜିତିଥିବା ବେଳେ ପାକିସ୍ତାନ ୫ ଥର ବିଜୟ ହୋଇଛି ଏବଂ ଗୋଟିଏ ମ୍ୟାଚ ବାତିଲ ହୋଇଛି । ଏବେ ପାକିସ୍ତାନ ଫର୍ମରେ ଥିବା ବେଳେ ଭାରତୀୟ ଖେଳାଳି ମଧ୍ୟ ଫର୍ମକୁ ଫେରିଛନ୍ତି । ଯଦି ମ୍ୟାଚ ଖେଳାଯାଏ ତେବେ ମୁକାବିଲା କଡାକଡି ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଗୋଟିଏ ଲାଇନରେ କହିବାକୁ ଗଲେ ଏହି ମ୍ୟାଚରେ ପାକିସ୍ତାନର ବୋଲିଂ ଏବଂ ଭାରତର ବ୍ୟାଟିଂ ମଧ୍ୟରେ ହେବ ଟକ୍କର ।