ୱେବଗେନି ପ୍ରୋଗଜିନ୍ ମୃତ ନା ଜୀବିତ? ଚର୍ଚ୍ଚାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ଭିଡିଓ

177

କନକ ବ୍ୟୁରୋ : ଋଷର ଭଡାଟିଆ ସେନା ୱାଗନର ଗ୍ରୁପ ମୁଖ୍ୟ ୱେବଗେନି ପ୍ରୋଗଜିନଙ୍କ ଶବ ସତ୍କାରର ଦିନକ ପରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ ଏକ ସେନା ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ଆଫ୍ରିକାରେ ଅଛନ୍ତି ବୋଲି କହୁଛନ୍ତି । ଯେଉଁମାନେ ତାଙ୍କ ମୃତ୍ୟୁକୁ ନେଇ ଅବା ବ୍ୟକ୍ତିଗତ ଜୀବନ, ଆୟ ଏବଂ ଅନ୍ୟାନ୍ୟ କଥା ଆଲୋଚନା କରୁଛନ୍ତି ସେମାନଙ୍କୁ ପ୍ରୋଗଜିନ୍ କହିଛନ୍ତି ସେ ଠିକ୍ ଅଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ପୁଟିନଙ୍କ ଘନିଷ୍ଠ ସହଯୋଗୀରୁ ବିଦ୍ରୋହୀ ପାଲଟିଥିବା ୱେବଗେନି ପ୍ରୋଗଜିନଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।

ଗତ ଅଗଷ୍ଟ ୨୩ ତାରିଖ ଋଷର ଊତର ଭାଗରେ ଏକ ବିମାନ ଦୁର୍ଘଟଣାରେ ୱାଗନର ଗ୍ରୁପ ମୁଖ୍ୟଙ୍କ ପ୍ରୋଗଜିନ୍ ସମେତ ଅନ୍ୟ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ବ୍ରାଜିଲ ନିର୍ମିତ ଏହି ବିମାନ ଦୁର୍ଘଟଣା ପଛରେ ଷଡଯନ୍ତ୍ର ଥାଇପାରେ ବୋଲି କୁହଯାଉଛି । ଏହାରି ଭିତରେ ପ୍ରୋଗଜିନଙ୍କ ନୂଆ ଭିଡିଓ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ୱେବଗେନି ପ୍ରୋଗଜିନ୍ ନୂଆ ଭିଡିଓ କେବେର ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଭିଡିଓକୁ ସେୟାର କରିଛନ୍ତି ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଉପଦେଷ୍ଟା । ଅଗଷ୍ଟ ୩୧ ତାରିଖ ମଧ୍ୟାନ ଗୋଟାଏ ୧୧ ମିନିଟରେ ସେ ଏକ୍ସ ତଥା ଟୁଇଟରରେ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁ ଭିଡିଓ ଏବେ ଇଂଟରନେଟରେ ଭାଇରାଲ ହେଉଛି । ୱେବଗେନି ପ୍ରୋଗଜିନ୍ ଜୀବିତ ଥିବା ନେଇ ତାଙ୍କର କିଛି ପ୍ରଶଂସକ ଦାବି କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଅଗଷ୍ଟ ୨୧ ତାରିଖର ବୋଲି କେତକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି । ଆଫ୍ରିକାରେ ୱାଗନର ଗ୍ରୁପର କ୍ୟାମ୍ପେନ ସମୟର ଏହି ଭିଡିଓ ବୋଲି ଋଷ ସୂତ୍ରରୁ ସୂଚନା ମିଳିଛି ।

ଆଫ୍ରିକାଠୁ ଋଷର ଦୂରତା ୯ ହଜାର କିଲୋମିଟରରୁ ଅଧିକ । ମୃତ୍ୟୁର ଦିନକ ପୂର୍ବରୁ ଆଫ୍ରିକାରେ ଥିବା ୱେବଗେନି ପ୍ରୋଗଜିନ୍ ଋଷ କାହିଁକି ଆସୁଥିଲେ । ପ୍ରୋଗଜିନଙ୍କ ମୃତ୍ୟୁ ହୋଇଥିବା ଋଷ ଦାବି କରୁଥିବା ବେଳେ ବାସ୍ତବରେ ତାଙ୍କର ମୃତ୍ୟୁ ହୋଇଛି ନାଁ ତାଙ୍କୁ ମୃତ ଦର୍ଶାଯାଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।