ଚନ୍ଦନପୁରରୁ ଅସ୍ତରଙ୍ଗ, ମନି ଅର୍ଡର ପହଁଚିବାକୁ ଲାଗିଲା ୫ବର୍ଷ । ଝିଅର ଓଷା ପାଇଁ ୨୦୧୮ରେ ଟଙ୍କା ପଠାଇଥିଲେ ବାପା । ଗତକାଲି ପହଁଚିଲା ମନିଅର୍ଡର

866

କନକ ବ୍ୟୁରୋ: ଆମ ଦେଶରେ ଟଙ୍କା ପଠାଇବା ଓ ଚିଠି ପଠାଇବାର ଏକ ସୁରକ୍ଷିତ ବ୍ୟବସ୍ଥା ଡାକ ବିଭାଗ ବୋଲି କୁହାଯାଏ । ଏବେ ପୋଷ୍ଟାଲରେ ଟଙ୍କା ପଠାଇବା କମ୍ ହୋଇଥିଲେ ବି ପୂର୍ବରୁ ଏହି ବ୍ୟବସ୍ଥା ଉପରେ ବହୁ ଲୋକ ନିର୍ଭର କରୁଥିଲେ । ସୁରକ୍ଷିତ ଭାବେ ଟଙ୍କା ନିର୍ଦ୍ଧିଷ୍ଟ ସ୍ଥାନରେ, ନିର୍ଦ୍ଧିଷ୍ଟ ସମୟ ଭିତରେ ପହଁଚିଯିବ ବୋଲି ଡାକରେ ମନି ଅର୍ଡର କରୁଥିଲେ । କିନ୍ତୁ ପୁରୀରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚନ୍ଦନପୁରରୁ ଅସ୍ତରଙ୍ଗରେ ଟଙ୍କା ପହଞ୍ଚିିବାକୁ ଲାଗିଛି ୫ ବର୍ଷ ।

  • ଡାକ ବିଭାଗର ବିଚିତ୍ର ବ୍ୟବସ୍ଥା
  • ୫ ବର୍ଷରେ ପହଁଚିଲା ମନିଅର୍ଡର ଟଙ୍କା

ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଆସିଛି ଏପରି ଖବର । ଡାକ ବିଭାଗର ମନିଅର୍ଡର ଫର୍ମରେ ସ୍ପଷ୍ଟ ଭାବରେ ଜଣାପଡୁଛି, ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ, ପ୍ରକାଶ କୁମାର ରଥ ଚନ୍ଦନପୁର ଡାକଘର ମାଧ୍ୟମରେ ଅସ୍ତରଙ୍ଗର ସୁଧୀର କୁମାର କରଙ୍କ ନିକଟକୁ ହଜାରେ ଟଙ୍କା ମନିଅର୍ଡର କରିଥିଲେ । ହେଲେ, ବିଡମ୍ବନାର ବିଷୟ ୨୦୧୮ରୁ ଟଙ୍କା ପଠାଇଥିଲେ ବି ତାହା ପାଂଚ ବର୍ଷ ପରେ ଅର୍ଥାତ ଏବେ ସୁଧୀରଙ୍କ ନିକଟରେ ପହଁଚିଛି । ତେବେ ଟଙ୍କା ପହଁଚିଥିଲେ ବି ଡାକ ବିଭାଗର ବିଳମ୍ବିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁଧୀର ।

ଡାକ ବିଭାଗକୁ ଟଙ୍କା ପ୍ରେରଣ ଓ ପତ୍ର ବିନିମୟରେ ସବୁଠାରୁ ସୁରକ୍ଷିତ ଓ ବ୍ୟବସ୍ଥିତ ମାଧ୍ୟମ ବୋଲି କୁହାଯାଇଥାଏ । କିନ୍ତୁ ଝିଅର ବ୍ରତ ପାଇଁ ଟଙ୍କା ପଠାଇଥିଲେ ବି ଠିକ୍ ସମୟରେ ନପହଁଚିବାକୁ ନେଇ ଉଭୟ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଏ ସମ୍ପର୍କରେ ବାରମ୍ବାର ପୋଷ୍ଟ ଅଫିସରେ ଜଣାଇଥିଲେ ବି ତାଙ୍କ କଥା କେହି ଶୁଣିନଥିବା ଅଭିଯୋଗ କରିଛନ୍ତି ।

ତେବେ କେଉଁ କାରଣରୁ ଏବଂ କାହାର ଅବହେଳା ପାଇଁ ଟଙ୍କା ପହଁଚିବାରେ ଏତେ ବିଳମ୍ବ ହେଲା ତାହା ଜଣାପଡିନି । ହେଲେ, ଡାକ ବିଭାଗ ଉପରେ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ପୂରା ମାମଲାର ତଦନ୍ତ ହେବାର ଆବଶ୍ୟକତା ଥିବା କହିଛନ୍ତି ବୁଦ୍ଧିଜୀବୀ ।