ଆସ୍ଥା ଭୋଟ ଜିତି ଶକ୍ତିପ୍ରଦର୍ଶନ କଲେ କେଜ୍ରିୱାଲ । -କହିଲେ ଆମ ଆଦମୀ ପାର୍ଟିକୁ ଭୟ କରୁଛି ବିଜେପି

317

କନକ ବ୍ୟୁରୋ : ଆସ୍ଥାର ଭୋଟରେ କେଜ୍ରିୱାଲ ବିଜୟୀ । ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ତାବ ଆଣି ଶକ୍ତି ଶକ୍ତିପ୍ରଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୭୦ ଆସନ ବିିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସେ ୬୩ ଆସନ ପାଇଛନ୍ତି । ଆସ୍ଥା ଭୋଟ ଜିତିବା ପରେ ବିଜେପି ଉପରେ ବର୍ଷିଛନ୍ତି । ଆମ ଆଦମୀ ପ।।ର୍ଟି ପୂର୍ଣ୍ଣ୍ୟର ରାଜନୀତି କରୁଛି ଓ ବିଜେପି ପାପର ରାଜନୀତି କରୁଛି ବୋଲି କେଜ୍ରିୱାଲ କହିଛନ୍ତି ।

ସେପଟେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢି ବଢି ଚାଲିଛି । ବାରମ୍ବାର ଇଡି ସମନ୍ ଏଡାଇବାକୁ ନେଇ ଆଜି ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତେବେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନହୋଇ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋର୍ଟଙ୍କ ସାମ୍ନାରେ ହାଜର ହୋଇଛନ୍ତି । ବାରମ୍ବାର ପ୍ରବର୍ତନ ନିର୍ଦ୍ଦେଶାଳୟର ସମନ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଖାରଜ କରୁଥିବାବେଳେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ କୋର୍ଟରେ ଆବେଦନ କରିଥିଲା ଇଡି । ତେବେ ଏହାକୁ ନେଇ କୋର୍ଟ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ । ଶୁଣାଣି ସମୟରେ କୋର୍ଟଙ୍କୁ କେଜ୍ରିୱାଲ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ହେବାକୁ ଚାହୁଁଥିଲି । ମାତ୍ର ବଜେଟ୍ ଅଧିବେସନ ଚାଲିଛି, ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ କୌଣସି ବି ତାରିଖ ଦେଇପାରନ୍ତି । ଏହାପରେ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଇଡି ପକ୍ଷରୁ କୁହାଯାଇଛି ଯେ, ଆଜିର ଶୁଣାଣିର ଆଗାମୀ ସମନ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଆସନ୍ତା ୧୯ ତାରିଖରେ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ କରିଛି ଇଡି । ତେବେ ପୂର୍ବରୁ ପାଂଚ ପାଂଚ ଥର ଇଡିର ସମନ୍କୁ ଅଣଦେଖା କରି ଆସିଛନ୍ତି କେଜ୍ରିୱାଲ । ପୂର୍ବରୁ ଗତ ବର୍ଷ ନଭେମ୍ବର ୨, ଡିସେମ୍ବର ୨୧, ଜାନୁଆରୀ ୩ ଓ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏହାକୁ ବିଜେପିର ଏକ ଷଡଯନ୍ତ୍ର କହି ଜେରା ପାଇଁ ହାଜର ହେଉ ନାହାଁନ୍ତି କେଜ୍ରିୱାଲ । ସେପଟେ ବାରମ୍ବାର ସମନ ଜାରି ସତ୍ୱେ କେଜ୍ରିୱାଲ ଇଡିରେ ହାଜର ନହେବା ଘଟଣା ସମ୍ବିଧାନ ବିରୋଧୀ ବୋଲି ବିଜେପି କହିଛି । ଦୁର୍ନୀତିଗସ୍ତ ଦିଲ୍ଲୀ ସରକାରଙ୍କ ନିକଟରେ ଠୋସ ଜବାବ ନାହିଁ ତେଣୁ ଜେରାକୁ ଭୟ କରୁଥିବା କହିିଛି ବିଜେପି ।

କ’ଣ ରହିଛି ପୂରା ମାମଲା?
– ମାର୍ଚ୍ଚ ୨୨, ୨୦୨୧ରେ ମନିଷ ସିସୋଦିଆ ନୂଆ ଅବକରୀ ନୀତିର ଘୋଷଣା କରିଥିଲେ
– ନଭେମ୍ବର ୧୭, ୨୦୨୧ରେ ନୂଆ ଅବକାରୀ ନୀତିକୁ ଦିଲ୍ଲୀରେ ଲାଗୁ କରାଯାଇଥିଲା
– ଏଥିରେ ମଦ ବ୍ୟବସାୟ ବ୍ୟକ୍ତିଗତ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା
– ସରକାରର କୌଣସି ହସ୍ତକ୍ଷେପ ମଦ ବ୍ୟବସାୟୀଙ୍କ ସହ ରହିଲା ନାହିଁ
– ଏହି ନୀତି ଦ୍ୱାରା ଦିଲ୍ଲୀରେ ମାଫିଆ ରାଜ ଶେଷ ହେବା ନେଇ ଦାବି କରିଥିଲା କେଜ୍ରିୱାଲ ସରକାର
– ୧୫୦୦-୨୦୦୦ କୋଟି ଟଙ୍କାର ରେଭେନ୍ୟୁ ଆଶା ବି ରହିଥିଲା
– ମାତ୍ର ଏହି ନୀତି ଦିଲ୍ଲୀରେ ଅନେକ ବିବାଦ ସୃଷ୍ଟି କଲା
– ଦିଲ୍ଲୀ ସରକାର ଏହି ନୀତି ଆଣି ମଦ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବାର ଅଭିଯୋଗ ହେଲା
– ବିବାଦ ପରେ ୨୮ ଜୁଲାଇ, ୨୦୨୨ରେ ଅବକାରୀ ନୀତିକୁ ରଦ୍ଦ କଲେ ଦିଲ୍ଲୀ ସରକାର
– ଅବକାରୀ ନୀତିରେ ଅର୍ଥ ହେରଫେର ଅଭିଯୋଗ ହେଲା
– ପରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମାମଲାର ତଦନ୍ତ ଚାଲିଛି

ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପୂର୍ବରୁ ଜେଲରେ ଅଛନ୍ତି ଆପର ବଡ ବଡ ନେତା । ମନିଷ ସିସୋଦିଆ, ସତୈନ୍ଦ୍ର ଜୈନ ଓ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି । ଏବେ ଜେରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କୁ ନୋଟିସ୍ କରୁଛି ଇଡି ।