ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି । ସବୁ ସତ ବାହାର କରିବାରେ ସକ୍ଷମ ହୋଇଛନ୍ତି ତ ତଦନ୍ତକାରୀ ଟିମ୍ ?

161

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ଆସନ୍ତାକାଲି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିନଥିବା ସୂଚନା ମିଳିଛି । ପୂର୍ବରୁ ଅର୍ଚ୍ଚନା ଦୁଇ ଦୁଇ ଥର ଗଣମାଧ୍ୟମରେ ଯେଉଁ ଭଳି ବିସ୍ଫୋରକ ବୟାନ ଦେଇଥିଲେ, ସେଭଳି କୌଣସି ତଥ୍ୟ ରିମାଣ୍ଡ ଅବଧିରେ ଇଡିକୁ ଦେଇନାହାନ୍ତି । ମିଡିଆ ଆଗରେ ଆତ୍ମବିଶ୍ୱାସର ସହ କହିଥିଲେ ସେ ନିର୍ଦ୍ଦୋଷ, ଯଦି ସେ ମୁହଁ ଖୋଲିବେ ତେବେ ରାଜ୍ୟ ବଦଳିଯିବ । ଏଥିପାଇଁ ମାତ୍ର ୩୦ ମିନିଟ ଦରକାର ବୋଲି କହିଥିବା ଅର୍ଚ୍ଚନା ୭ ଦିନର ପଚରା ଉଚରା ଭିତରେ କୌଣସି ବଡ ଗୁମର ଖୋଲିନଥିବା ସୂଚନା ମିଳିଛି । ପୂର୍ବରୁ ଅନୁମାନ କରାଯାଉଥିଲା ଇଡି ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କ ମୁହଁରୁ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାର ପୁରା କଥା ଆଦାୟ କରିବ । ଘଟଣାରେ ସଂପୃକ୍ତ ଅନେକ ବଡବଡିଆଙ୍କ ଚେହେରା ସାମ୍ନାକୁ ଆସିବ । ଚର୍ଚ୍ଚା ହେଉଥିଲା ଇଡି ତଦନ୍ତ ଯେତେ ଆଗକୁ ଯିବ ସମାଜର ବହୁ ଭଦ୍ର ଲୋକଙ୍କ ମୁଖା ଖୋଲିଯିବ । କିନ୍ତୁ ସେପରି କିଛି ହୋଇନାହିଁ । କାରଣ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧିରେ କେବଳ ତାଙ୍କ ଘରର ଇଂଟେରିୟର ଡିଜାଇନ କରିଥିବା ଆର୍କିଟେକଚର ରଂଜିତ ବେହେରା ଓ ଠିକାଦାର ପବିତ୍ର ପାତ୍ରଙ୍କୁ ଇଡି ଡକାଇ ଜେରା କରିଛି ।

ଯଦି ଅର୍ଚ୍ଚନା ଗୁମର ଖୋଲିଥାନ୍ତେ, ତେବେ ଅନ୍ୟ ସଂପୃକ୍ତଙ୍କୁ ଇଡିରୁ ଡକରା ଆସିଥାନ୍ତା । କିନ୍ତୁ ପବିତ୍ର ଓ ରଂଜିତଙ୍କୁ ଛାଡି ଦେଲେ ଅର୍ଚନା ମାମଲାରେ ଇଡିରେ ଅନ୍ୟ କେହି ହାଜର ହୋଇନାହାନ୍ତି । ଏଥିରେ ସ୍ପଷ୍ଟ ହେଉଛି, ଇଡି ଆଗରେ ମୁହଁ ଖୋଲି ନାହାନ୍ତି ଲେଡି ବ୍ଲାକମେଲର । କୁହାଯାଉଛି ୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନାଙ୍କୁ ଆଣି ପ୍ରବର୍ତନ ନିର୍ଦ୍ଦେଶାଳୟ ହନିଟ୍ରାପ ମାମଲାର ମୂଳରେ ପହଂଚିବାକୁ ଯେଉଁ ଲକ୍ଷ୍ୟ ରଖିଥିଲା । ତାହା ଅର୍ଚ୍ଚନା କରାଇ ଦେଇ ନାହାନ୍ତି । ଜେରା ବେଳେ ଅର୍ଚ୍ଚନା ମୁହଁ ଖୋଲିନଥିବାରୁ ଇଡି ଅଧିକାରୀ ଅକଲରେ ପଡିଯାଇଛନ୍ତି । ସେ କେମିତି ଅଳ୍ପ ସମୟ ଭିତରେ କୋଟି କୋଟି ଟଙ୍କାର ମାଲିକାଣୀ ହେଲେ । ତାଙ୍କର ଆୟର ସ୍ରୋତ କଣ । ସେ କେଉଁ ବଡ ବଡିଆଙ୍କୁ ବ୍ଲାକମେଲିଂ କରି ବିପୁଳ ଅର୍ଥ ରୋଜଗାର କରିଥିଲେ । ହନିଟ୍ରାପ ଜାଲରେ ଫସାଇ କେଉଁ ପ୍ରଭାବଶାଳୀଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ । ଏସବୁ ପ୍ରଶ୍ନର ଉତର ଇଡି ଅଧିକାରୀ ପାଇଲେ ନା ନାହିଁ, ଅର୍ଚ୍ଚନା କଣ ସବୁ ତଥ୍ୟ ଦେଇଛନ୍ତି, ସେ ସଂପର୍କରେ ଇଡି ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିନାହିଁ ।