‘ସାର୍ ମୁଁ ପଢିବାକୁ ଚାହେଁ…’ ବାସ୍ ଏତିକି କଥାରେ ବଦଳିଗଲା ଯୁବତୀଙ୍କ ପୁରା ପରିବାରର ଭାଗ୍ୟ

231

କନକ ବ୍ୟୁରୋ: ଜନସମ୍ପର୍କ  ସଭା ଚାଲିଥାଏ । ମଞ୍ଚରେ ଉପସ୍ଥିତ ଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି । ସଭାରେ ଉପସ୍ଥିତ ଥାନ୍ତି ସାଧାରଣ ଜନତା ଓ  ଅନେକ ଛାତ୍ରଛାତ୍ରୀ । ଏହି ସମୟରେ ଜଣେ ଛାତ୍ରୀ ଛିଡା ହୋଇ କହିଥିଲେ , ‘ସାର୍ ମୁଁ ପଢିବାକୁ ଚାହେଁ, ମୋତେ ଦୟାକରି ସାହାଯ୍ୟ କରନ୍ତୁ’  । ବାସ୍ ଏଇ କେଇ ପଦ କଥାରେ ମାତ୍ର ୪୮ ଘଣ୍ଟା ଭିତରେ ଛାତ୍ରୀଙ୍କ ସହ ତାଙ୍କ ପୁରା ପରିବାରର ଭାଗ୍ୟ ବଦଳିଯାଇଛି ।ଏଭଳି ଘଟଣାଟି ଘଟିଛି ଝାଡଖଣ୍ଡ ଗଢବା ଜିଲ୍ଲା ତିଲଦାଗ ପଞ୍ଚାୟତରେ  ।

 ଜନସଭାରେ ବେବି କୁମାରୀ ନାମକ ଛାତ୍ରୀ ଜଣକ ନିଜର ଅସହାୟତା ବିଷୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କହିଥିଲେ । ସେ ଆଗକୁ ପଢିବାକୁ ଚାହାଁନ୍ତି ହେଲେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଯୋଗୁଁ ପାଠପଢାରେ ସମସ୍ୟା ଭୋଗୁଛନ୍ତି । ଏହି କଥା ଶୁଣିବା ପରେ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ୪୮ ଘଣ୍ଟା ଭିତରେ ତାଙ୍କ ଘରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ । 

ବେବି କୁମାରୀଙ୍କୁ ସାବିତ୍ରୀ ବାଈ ଫୁଲେ କିଶୋରୀ ସମୃଦ୍ଧି ଯୋଜନାରେ ସାମିଲ କରିବା ସହ ତାଙ୍କ ଭଉଣୀଙ୍କ ପାଠପଢା ପାଇଁ ସେମାନଙ୍କୁ କିଶୋର କଲ୍ୟାଣ ବିଭାଗର ଛାତ୍ରବୃତ୍ତି ଯୋଜନାରେ ସାମିଲ କରାଯାଇଛି । କେବଳ ଏତିକି ନୁହେଁ ବେବି କୁମାରୀଙ୍କ ମା’ଙ୍କୁ ସ୍ୱାବଲମ୍ବୀ କରିବାକୁ ଛେଳି ପାଳନ ପାଇଁ ପଶୁଧନ ବିକାଶ ଯୋଜନାର ଅନ୍ତର୍ଗତ କରାଯିବା ସହ ପଶୁଘର କରିବାକୁ ଦେଢଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ବେବିଙ୍କ ବାପା ଇନ୍ଦ୍ରେଶ ରାମଙ୍କୁ ମୁଖ୍ୟମନ୍ତ୍ରୀ ରୋଜଗାର ସୃଜନ ଯୋଜନାର ଅନ୍ତର୍ଗତ କରାଯିବା ସହ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇଦିଆଯାଇଛି ।