ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତଦେହରେ ଅକ୍ସିଜେନ୍ ଲଗାଇ ସ୍ଥାନାନ୍ତର ବେଳେ ଲୋକଙ୍କ ବିରୋଧ, ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା

108

କନକ ବ୍ୟୁରୋ : ମୃତଦେହ ମୁହଁରେ ଅକ୍ସିଜେନ । ପ୍ରଥମେ ଚିକିତ୍ସାରେ ଅବହେଳା କଲେ, ଆଉ ରୋଗୀର ମୃତ୍ୟୁ ହେବା ପରେ ଡାକ୍ତର ନିଜ ଦୋଷ ଢାଙ୍କିବାକୁ ମୃତଦେହରେ ଅକ୍ସିଜେନ ଲଗାଇ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ଉଦ୍ୟମ କରୁଥିଲେ । ଏହି ଅଭାବନୀୟ ଖବର ଆସିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ମୃତ ମହିଳାଙ୍କ ସ୍ୱାମୀ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବାନୁଆଗୁଡା ଗାଁର ପ୍ରହଲ୍ଲାଦ ମାଝୀଙ୍କ ସ୍ତ୍ରୀ ତିଳୋତମା ମାଝୀ ଭର୍ତି ହୋଇଥିଲେ । ତିଳୋତମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ । ନେହୁରା ହୋଇ ଯେତେ ଡାକିଲେ ମଧ୍ୟ ଡାକ୍ତରବାବୁ ରୋଗୀଙ୍କ ବେଡ ପାଖକୁ ଆସିନଥିଲେ । ଚିକିତ୍ସା ଅବହେଳାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତିଳୋତମାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇବା ପରେ ଡାକ୍ତର ଅଭିଷେକ ମେହେର ତୁରନ୍ତ ମେଡିକାଲକୁ ଆସିଥିଲେ । ଆଉ ନିଜ ମୁଣ୍ଡରୁ ଦୋଷ ଝାଡିବାକୁ ଶବ ମୁହଁରେ ଅକ୍ସିଜେନ ଲଗାଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରୁଥିଲେ । ରୋଗୀର ମୃତ୍ୟୁ ହୋଇଥିବା ଜାଣିବା ପରେ ଗାଁ ଲୋକେ ପାଟିତୁଣ୍ଡ କରି ପୁଲିସକୁ ଖବର ଦେଇଥିଲେ । ବୈପାରୀଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥି । ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ପକ୍ଷରୁ ଏତଲା ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।