କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁକୁ ନେଇ ଅକଳରେ ପୋଲିସ । ସରକାରୀ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ତଦନ୍ତ ହେଉଛି, ହେଲେ ହୋଇପାରୁନି କାର୍ଯ୍ୟାନୁଷ୍ଠାନ

173

କନକ ବ୍ୟୁରୋ: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ, ପୋଲିସ କରିବ କଣ? ଏହି ପ୍ରଶ୍ନ ଏବେ ଏଥିପାଇଁ ଉଠୁଛି କାରଣ ଘଟଣାର ତଦନ୍ତ କରୁଥିବା ପୋଲିସ କୌଣସି ନିଷ୍କର୍ଷରେ ପହଁଚି ପାରୁନି । ଗୋଟିଏ ପକ୍ଷରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡିଶା ପ୍ରଶାସନିକ ସଂଘର ଚାପ ପଡୁଛି । ଅପରପକ୍ଷରେ କ୍ଷମତାଶାଳୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସାହାସ ଜୁଟାଇ ପାରୁନି ପୁଲିସ ।

  • ବିଶେଶ୍ୱର ଟୁଡୁ ମାମଲାରେ କଣ କରିବ ପୁଲିସ?
  • ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ ତ?

ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାଁରେ ମାମଲା ବାରିପଦା ପୁଲିସର ଦ୍ୱନ୍ଦ୍ୱ ବଢାଇ ଦେଇଛି । କରିବେ ତ କଣ କରିବେ, ଏହି ଅଡୁଆ ସୂତାର ଖିଅ ଭିତରେ ଘାଣ୍ଟି ହେଉଛି ବାରିପଦା ପୁଲିସ । ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ ତଦନ୍ତ କରୁଛି ହେଲେ ନିଷ୍କର୍ଷରେ ପହଁଚି ପାରୁନି । ଗୋଟିଏ ପଟେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ପ୍ରଶାସନିକ ସଂଘର ଚାପ ପଡୁଛି ଆଉ ଅନ୍ୟପଟେ କ୍ଷମତାଶାଳୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସାହାସ ଜୁଟାଇ ପାରୁନି ପୁଲିସ ।

ଗତ ଜାନୁୟାରୀ ୨୦ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡାଇରେକ୍ଟର ଓ ଡେପୁଟି ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମାଡ ମାରି ଲହୁ ଲୁହାଣ କରିଥିଲେ । ଏପରିକି ଜଣକ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜାନୁୟାରୀ ୨୨ ତାରିଖରେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାଁରେ ଆଇପିସି ଧାରା, ୩୨୩, ୩୨୫, ୨୯୪, ୫୦୬ ଧାରା ଲଗାଇ ପୁଲିସ ତଦନ୍ତ ଚଲାଇଛି । ଦୁଇ ଅଭିଯୋଗକାରୀଙ୍କ ବୟାନ ୧୬୪ ଧାରରେ ରେକର୍ଡ କରାଯାଇଛି । ପୁଲିସ ଏକାଧିକ ଜାଗା ଯାଇ ଛାନଭିନ୍ କରିଛି, ହେଲେ ଦିଲ୍ଲୀରେ ସଂସଦ ଅଧିବେଶନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ଗିରଫଦାରି ଏଡାଇବାକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ହାଇକୋର୍ଟ ଯାଇଛନ୍ତି । ଆସନ୍ତା ସୋମବାର ମାମଲାର ଶୁଣାଣି ହୋଇପାରେ । ପଞ୍ଚାୟତ ନିର୍ବାଚନ ବେଳେ ସମସ୍ତଙ୍କ ନଜର ଯେତେବେଳେ ମୟୁରଭଞ୍ଜ ରାଜନୀତି ଉପରେ ରହିଛି ଠିକ ସେତିକିବେଳେ ବିବାଦୀୟ ହୋଇଥିବା କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରେ ଆଉ ଏପଟେ ଜିଲ୍ଲାରେ ନିଜ ସ୍ଥିତି ମଜଭୁତ କରିବାକୁ ଗୋଟି ଚଳାଇ ଚାଲିଛି ବିଜେଡି ।