୫-ଜି ଯୁଗରେ ଟୁ-ଜିର ସ୍ୱପ୍ନ ଦେଖୁଛି ଓଡ଼ିଶାର ଗ୍ରାମାଞ୍ଚଳ । ରାଜ୍ୟର ଅଲୋଡ଼ା ରେକର୍ଡ, ୬ ହଜାରରୁ ଅଧିକ ଗାଁକୁ ପହଁଚିନାହିଁ ମୋବାଇଲ ସେବା

121

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ମୋବାଇଲ ନେଟୱର୍କ ନଥିବା ପଞ୍ଚାୟତବାସୀଙ୍କ ପାଇଁ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଅନେକ ସ୍ଥାନ ଯେଉଁଠି ନେଟୱର୍କ ନାହିଁ ସେଠାରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭୋଟର । ଗାଁ ଲୋକଙ୍କ ଏପରି ସମସ୍ୟା ଭିତରେ ଆଉ ଏକ ମୁଖ୍ୟ ସମସ୍ୟା ସାମ୍ନାକୁ ଆସିଛି । ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଓଡିଶାରେ ସର୍ବାଧିକ ୬ ହଜାର ୯୯ଟି ଗାଁକୁ ନାହିଁ ମୋବାଇଲ ସେବା ।

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ଜୋରଦାର ହୋଇଥିବାବେଳେ ରାଜ୍ୟର ଦୁଇଟି ସ୍ଥାନରୁ ଆସିଥିଲା ଦୁଇଟି ରୋଚକ ଖବର । ମୋବାଇଲ ଟାୱାର ନଥିବାରୁ ନେଟୱର୍କ ଆସୁନଥିବା ପ୍ରତିବାଦ କରିଥିଲେ ଗାଁ ଲୋକ । ତେବେ ଗାଁ ଲୋକଙ୍କ ସମସ୍ୟା ଭିତରେ ମୋବାଇଲ ସେବାକୁ ନେଇ ଆସିଛି ଆଉ ଏକ ସାଂଘାତିକ ତଥ୍ୟ ।

  • ୬ ହଜାର ଗାଁରେ ନାହିଁ ଫୋନ୍, ଇଣ୍ଟରନେଟ୍
  • ମୋବାଇଲ ସେବା ପହଞ୍ଚିନଥିବା ସର୍ବାଧିକ ଗାଁ ଓଡିଶାରେ ରହିଛି
  • ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ତଥ୍ୟ ପ୍ରକାଶ
  • ଓଡିଶାରେ ସର୍ବାଧିକ ୬୦୯୯ଟି ଗାଁକୁ ନାହିଁ ମୋବାଇଲ ସେବା
  • ଦେଶର ୨୫ ହଜାର ୬୭ଟି ଗାଁରେ ନାହିଁ ମୋବାଇଲ ଓ ଇଣ୍ଟରନେଟ୍

ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ୨୦୨୨-୨୩ ବଜେଟରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଆର୍ଥିକ ବର୍ଷରେ ୫-ଜି ସେବା ପାଇଁ ସ୍ପେକଟ୍ରମ ନିଲାମ ହେବ ବୋଲି କହିଥିଲେ । ହେଲେ ଓଡିଶାର ୬ ହଜାରରୁ ଅଧିକ ଗାଁକୁ ଆଦୌ ମୋବାଇଲ ସଂଯୋଗ ନାହିଁ । ପଞ୍ଚାୟତ ନିର୍ବାଚନ ବେଳେ ସଂସଦରେ ଆସିଥିବା ଏଭଳି ସାଂଘାତିକ ତଥ୍ୟକୁ ନେଇ ଆହୁରି ଜୋରଦାର ହୋଇଛି ରାଜନୀତି । ମୋବାଇଲ ସଂଯୋଗ କେନ୍ଦ୍ରର ବିଷୟ ହୋଇଥିବାରୁ ଓଡିଶାକୁ ବାରମ୍ବାର ଅବହେଳା କରାଯାଉଥିବା ଅଭିଯୋଗ ଆଣିଛି ବିଜେଡି । ସେପଟେ ବିଜେପି ଶାସକ ଦଳ ଉପରକୁ ଦୋଷ ଲଜିଥିବାବେଳେ କଂଗ୍ରେସ ଉଭୟଙ୍କୁ ଦାୟୀ କରିଛି ।

କିଛିଦିନ ତଳେ ବାଉଁଶର ମୋବାଇଲ୍ ଟାୱାର ତିଆରି କରି ଏଥିରେ ବିଏସଏନଏଲ ଫୋର ଜି’ ଲେଖାଇ ଏହାର ଉଦଘାଟନ ପାଇଁ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଉ ନିମନ୍ତ୍ରଣ ପାଇଁ ବିଧାୟକ ଟାୱାର ପାଖରେ ପହଁଚିବା ପରେ ତାଙ୍କୁ ଗ୍ରାମବାସୀ ଘେରି ଯାଇଥିଲେ । ଲୋକଙ୍କ ଅଭିଯୋଗର ଭିଡ ଭିତରେ ବେଶ କିଛି ସମୟ ପାଇଁ ହଟହଟା ହୋଇଥିଲେ କଳାହାଣ୍ଡି ଲାଞ୍ଜିଗଡର ବିଧାୟକ ପ୍ରଦୀପ ଦିଶାରୀ । ଦେବଗଡ ଜିଲ୍ଲା ତିଲେଇବଣିରେ ୫ଟି ପଞ୍ଚାୟତ ଏଥର ନିର୍ବାଚନ ବର୍ଜନ କରିବାକୁ ଦେଇଥିଲେ ଚେତାବନୀ । କେହି ପ୍ରାର୍ଥିପତ୍ର ଦାଖଲ ନକରିବାରୁ ନିର୍ବାଚନରେ ଭାଗ ନେବା ପାଇଁ ପୁଣିଏକ ତାରିଖ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ୍ । ଚର୍ଚ୍ଚା ହେଉଛି ପ୍ରଶାସନ ଏକ ଘରୋଇ ସଂସ୍ଥା ସହ ଆଲୋଚନା କରି ଏଠାରେ ମୋବାଇଲ ନେଟୱର୍କ ସମସ୍ୟା ଦୂର କରିବାକୁ ଯୋଜନା ଚଳାଇଛି । ହେଲେ ୫-ଜିର ସ୍ୱପ୍ନ ଦେଖୁଥିବା ଭାରତରେ ଓଡିଶାର ୬ ହଜାର ଗାଁକୁ ଆଦୌ ମୋବାଇଲ ସେବା ନପହଞ୍ଚିବା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ।