ଜମୁଛି ପଞ୍ଚାୟତ ପ୍ରଚାର । ମଇଦାନରେ ହେଭିୱେଟ୍ ନେତା । ଗାଁ ଦାଣ୍ଡରେ ବଡ଼ ନେତାଙ୍କୁ ବଡ଼ ପ୍ରଶ୍ନ ପଚାରୁଛନ୍ତି ଭୋଟର

93

କନକ ବ୍ୟୁରୋ: ଆଗକୁ ପଞ୍ଚାୟତ ନିର୍ବାଚନ, ଏଥିପାଇଁ ସରଗରମ ଗାଁ ରାଜନୀତି । ଗାଁ ଦାଣ୍ଡରେ କେବେ ନଜର ଆସୁନଥିବା ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଆଉ ନେତାଙ୍କୁ ନିଜ ପାଖରେ ପାଇ ସୁଯୋଗ ହାତଛଡା କରୁନାହାନ୍ତି ଭୋଟର । ତାଙ୍କୁ ଘେରିଯାଇ ଜବାବ ମାଗୁଛନ୍ତି । ଅସୁବିଧା ସମୟରେ ଦେଖା ମିଳୁନଥିବା ନେତା ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଭଦ୍ରକ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଦେଇପୁର ପଞ୍ଚାୟତରୁ ଏମିତି ଏକ ଖବର ଆସିଛି । ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରଚାର କରିବାକୁ ଗାଁକୁ ଯାଇଥିବାବେଳେ ଘେରି ଯାଇଥିଲେ ଗାଁ ଲୋକେ । ବାତ୍ୟା ଓ କରୋନା ସମୟରେ ବିଧାୟକ ଥରୁଟିଏ ବି ଗାଁକୁ ଆସିନଥିଲେ ବି ଏବେ କାହିଁକି ଭୋଟ ମାଗିବାକୁ ଆସିଛନ୍ତି ବୋଲି ପଚାରିଥିଲେ । ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ପଚାରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ବିଧାୟକ ଗାଁର ଜଣଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ । ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବାବେଳେ ଗ୍ରାମବାସୀ ବାହାରେ ହୋହଲ୍ଲା କରିଥିଲେ । ଶେଷରେ ନିକଟରେ ଥିବା ସାମୁଦ୍ରିକ ଥାନା ପୁଲିସ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା । ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଗାଁ ଦାଣ୍ଡରେ ବଡ଼ ନେତାଙ୍କୁ ବଡ଼ ପ୍ରଶ୍ନ

ପ୍ରଚାର କରିବାକୁ ଯାଇଥିବାବେଳେ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ । ଗାଁ ଲୋକ ପଚାରିଥିଲେ, କେବେ ଭଲ ରାସ୍ତା ହେବ? ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । କେବେ ବିଶୁଦ୍ଧ ପାଣି ମିଳିବ? କାହିଁକି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ? ଏପରି ମାଳ ମାଳ ପ୍ରଶ୍ନ କରି ବିଧାୟିକାଙ୍କୁ ଘେରିଥିଲେ ଭୋଟର । ବିଧାୟିକାଙ୍କ ପ୍ରତିନିଧିଙ୍କୁ ସମସ୍ୟା ଲେଖି ରଖିବାକୁ କହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବାସନ୍ତୀ ହେମ୍ବ୍ରମ

ହଟ୍ଟହଟ୍ଟା ହେଉଛନ୍ତି ହେଭିୱେଟ୍ ନେତା

ଦଶପଲ୍ଲା ବିଧାୟକ ରମେଶ ବେହେରା ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଆସିଥିବା ବେଳେ ହଟ୍ଟହଟ୍ଟା ହୋଇଥିଲେ । କୁଜାମେଣ୍ଢି ପଞ୍ଚାୟତବାସୀ ପ୍ରଶ୍ନ କରିଥିଲେ, ଅଢେଇ ବର୍ଷରେ କେତେ ଥର ଆସିଛ କୁହ? ଏବେ ଭୋଟ ମାଗିବା ପାଇଁ କାହିଁକି ଆସିଛ । ପ୍ରତିଶ୍ରୁତି ଦରକାର ନାହିଁ କାମ କରି ଦେଖାଅ ବୋଲି ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ବଣି ବ୍ରିଜ ନିର୍ମାଣ କେତେ ବାଟ ଗଲା ବୋଲି ପଚାରିଲା ବେଳେ ବ୍ରିଜ ପାଇଁ ସାଙ୍କସନ ହୋଇସାରିଛି ବୋଲି କହିଥିଲେ ବିଧାୟକ ।