ସଂସଦ ଅଧିବେଶନ ପୂର୍ବରୁ କେମିତି ଆସିଲା ଲଜ୍ଜାଜନକ ଭିଡିଓ : ଅମିତ ଶାହା

137

କନକ ବ୍ୟୁରୋ : ବିରୋଧୀ ମେଣ୍ଟ ମୋଦୀ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ୨ଦିନ ହେବ ଚର୍ଚ୍ଚା ଚାଲିଛି । ଆଜି ପ୍ରଥମେ କଂଗ୍ରେସ ସାଂସଦ ସଂସଦର ଆଲୋଚନାରେ ସାମିଲ ହୋଇ ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହାର ଜବାବରେ ସଂସଦରେ ଅମିତ୍ ଶାହା ମଣିପୁର ହିଂସାକୁ ନେଇ ବୟାନ ରଖିଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି କି, ମଣିପୁରରେ ଯେବେ ବି ସଂପ୍ରଦାୟିକ ହିଂସା ହୋଇଛି ତାହା ତାଣ୍ଡବ ରଚିଛି । ହେଲେ ମଣିପୁରରେ କ୍ରମାଗତ ଭାବେ ୬ବର୍ଷଧରି ବିଜେପିର ସରକାର ଥିଲେ ବି ସେଠାରେ ଗୋଟିଏ ବି ଜାତିଗତ ହିଂସା ହୋଇନାହିଁ । ହେଲେ ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରୀ ମ୍ୟାମାରକୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି ମ୍ୟାମାରରେ ୨୦୨୧ରେ କ୍ଷମତା ପରିବର୍ତନ ହେବା ପରେ ସେଠାରେ ସେନା ଶାସନ ଆରମ୍ଭ ହୋଇଛି । ସେନା ଶାସନ ସମୟରେ କୁକୀ ସଂପ୍ରଦାୟ ଉପରେ ଅତ୍ୟାଚାର ଆରମ୍ଭ ହୋଇଛି । ଫଳରେ ହଜାର ହଜାର କୁକୀ ସଂପ୍ରଦାୟର ଲୋକ ମଣିପୁରରେ ଆସି ଶରଣାର୍ଥୀ ଭାବେ ରହୁଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୨୦୨୨ରେ ସୀମାରେ ଅନୁପ୍ରବେଶ ବନ୍ଦ କରିବାକୁ ଉଦ୍ୟମ କରିଥିଲା ।

ସେପଟେ ସଂସଦରେ ମଣିପୁର ପ୍ରସଙ୍ଗରେ ସରକାର ପ୍ରଥମଦିନରୁ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ଆଲୋଚନା ପାଇଁ ଆଗକୁ ଆସୁନଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ । ବିରୋଧୀମାନେ ସରକାରଙ୍କ କଥା ଶୁଣୁ ନାହାଁନ୍ତି । ହେଲେ ୧୪୦ କୋଟି ଲୋକ ଆମକୁ ସରକାର ଗଠନ କରିବାକୁ କ୍ଷମତା ଦେଇଥିବାରୁ ବିରୋଧୀ ଆମ କଥା ଶୁଣିବାକୁ ବାଧ୍ୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମଣିପୁର ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି ବୋଲି ଅମିତ୍ ଶାହା କହିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି ଆମେ ମାନୁଛୁ ମଣିପୁରରେ ସାଂଘାତିକ ହିଂସା ହୋଇଛି । ଏଭଳି ଘଟଣାକୁ ସରକାର କେବେ ବି ସମର୍ଥନ କରିବେ ନାହିଁ । ହେଲେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଲଜ୍ଜାଜନକ ବୋଲି ସେ କହିଛନ୍ତି ।

ମଣିପୁର ହିଂସା ଉପରେ ବିରୋଧୀମାନେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଇସ୍ତଫା ମାଗିବା ଦାବି ଉପରେ ଗୃହମନ୍ତ୍ରୀ କହିଛନ୍ତି କି, ମଣିପୁର ଘଟଣା ଉପରେ ଯଦି ରାଜ୍ୟ ସରକାର ସହଯୋଗ କରିନଥାନ୍ତେ ତେବେ ରାଜ୍ୟରେ ଅନୁଚ୍ଛେଦ ୩୭୦ ଲଗାଯାଇଥାନ୍ତା ଓ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇଥାନ୍ତା । ହେଲେ ମଣିପୁର ହିଂସାକୁ ନଜରରେ କେନ୍ଦ୍ର ନେଇଥିବା ସମସ୍ତ ନିଷ୍ପତ୍ତିକୁ ମଣିପୁର ସରକାର ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ମଣିପୁରର ମୁଖ୍ୟ ଶାସନ ସଚିବଙ୍କ ବଦଳି କରିଛନ୍ତି । କେନ୍ଦ୍ରୀୟ ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୀର୍ଘଦିନ ଧରି ମଣିପୁରରେ ରହି ହିଂସା ଉପରେ ନଜର ରଖିବା ସହ ସେଠିକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ଏଣୁ ମଣିପୁର ମୁଖ୍ୟମନ୍ତ୍ରୀ ଯେତେବେଳେ କେନ୍ଦ୍ରର ସମସ୍ତ ନିଷ୍ପତ୍ତିକୁ ସ୍ୱୀକାର କରୁଛନ୍ତି ତେଣୁ ସେଠାରେ ମୁଖ୍ୟମନ୍ତ୍ରୀ ବଦଳାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି ।