ରାହୁଲଙ୍କ ବ୍ୟବହାରକୁ ନେଇ ବିବାଦ । ଫ୍ଲାଇଙ୍ଗ୍ କିସ୍ ଦେଇଥିବା ଅଭିଯୋଗ । ବାଚସ୍ପତିଙ୍କୁ ବିଜେପି ସାଂସଦଙ୍କ ଫେରାଦ

123

କନକ ବ୍ୟୁରୋ: ଲୋକସଭାରେ ବୁଧବାର ଅନାସ୍ଥା ପ୍ରସ୍ତାବ ବିତର୍କବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି । ସଂସଦରେ ନିଜ ବକ୍ତବ୍ୟ ରଖିବା ପରେ ରାହୁଲ ଗାନ୍ଧୀ ବିଜେପିର ମହିଳା ସାଂସଦଙ୍କୁ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ ହୋଇଛି । ରାହୁଲ ସଂସଦରେ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

  • ରାହୁଲଙ୍କ ବ୍ୟବହାରକୁ ନେଇ ବିବାଦ
  • ଫ୍ଲାଇଙ୍ଗ୍ କିସ୍ ଦେଇଥିବା ଅଭିଯୋଗ
  • ବାଚସ୍ପତିଙ୍କୁ ବିଜେପି ସାଂସଦଙ୍କ ଫେରାଦ

ରାହୁଲ ଗାନ୍ଧୀଙ୍କ ବିରୋଧରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ । ଅଭିଯୋଗ ଅନୁସାରେ, ଅବିଶ୍ୱାସ ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ ନିଜର ଅଭିଭାଷଣ ରଖିଥିଲେ । ପ୍ରାୟ ୩୭ମିନିଟ୍ ଅଭିଭାଷଣ ରଖିବା ପରେ ସେ ସଦନ ବାହାରକୁ ଚାଲିଯାଇଥିଲେ । ଆଉ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅନାସ୍ଥା ପ୍ରସ୍ତାବ ଉପରେ ଅଭିଭାଷଣ ରଖିବାକୁ ଛିଡା ହୋଇଥିଲେ । ଆଉ ଏହି ସମୟରେ ରାହୁଲ ସ୍କୃତି ଇରାନିଙ୍କୁ ଲକ୍ଷ୍ୟ କରି ଫ୍ଲାଇଙ୍ଗ କିସ୍ ଦେଇଥିଲେ । ତେବେ ଲୋକସଭା କାର୍ଯ୍ୟବାହୀର ଭିଡିଓରେ ରାହୁଲଙ୍କ ସେହି ଭିଡିଓ ରେକର୍ଡ ହୋଇନଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅନ୍ୟ ବିଜେପି ମହିଳା ସାଂସଦ ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅଶୋଭନୀୟ ଆଚରଣ ପାଇଁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ ।

 

ରାହୁଲଙ୍କ ଫ୍ଲାଇଙ୍ଗ କିସ୍ ଘଟଣାକୁ ନେଇ କୌଣସି ଭିଡିଓ ସାମ୍ନାକୁ ଆସିନଥିବାବେଳେ, ବିଜେପି ନେତା ଅମିତ ମାଲବିୟ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । କିନ୍ତୁ ଏହି ଭିଡିଓଟି ରାହୁଲ ଅଭିଭାଷଣ ରଖୁଥିବା ସମୟର । ଆଉ ଏହି ଭିଡିଓରେ ରାହୁଲ ଫ୍ଲାଇଙ୍ଗ୍ କିସ୍ କରିଥିବା ଜଣାପଡୁ ନାହିଁ । ସେପଟେ, ସିସିଟିଭି ଫୁଟେଜ୍କୁ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ରାହୁଲଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ୫ ବର୍ଷ ତଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଓ ଆଖି ମାରିବା ଘଟଣାରେ ରାହୁଲଙ୍କୁ ସମାଲୋଚନା କରିଥିଲା ଭାରତୀୟ ଜନତା ପାର୍ଟି ।