ଅନାସ୍ଥା ଆଲୋଚନାରେ ଭାଗ ନେଇ ବର୍ଷିଲେ ରାହୁଲ । ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ । କଡ଼ା ଜବାବ ରଖିଲେ ସ୍ମୃତି ଇରାନୀ

76

କନକ ବ୍ୟୁରୋ: ସିଧା ଟାର୍ଗେଟ୍, ସାଣିତ ଆକ୍ରମଣ । ଭାରତ ଯୋଡ଼ୋ ଯାତ୍ରାର ଅଭିଜ୍ଞତାରୁ ଅଭିଭାଷଣ କରିଥିବା ରାହୁଲ ଗାନ୍ଧୀ, ଯେତେବେଳେ ମଣିପୁର ଘଟଣାକୁ ଆସିଥିଲେ, ଶାସକ ଶିବିରର ସଦସ୍ୟ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଶାସକ ଦଳର ସଦସ୍ୟମାନେ ରାହୁଲଙ୍କ ବୟାନ ସମୟରେ ବାଧା ଦେବାକୁ ଭରପୁର ଉଦ୍ୟମ କରିଥିଲେ । ହେଲେ, ମଣିପୁର ଘଟଣାକୁ ନେଇ ଥିବା ପୁଞ୍ଜିଭୂତ ଅସନ୍ତୋଷ, ରାହୁଲଙ୍କ ବାଟକୁ ଓଗାଳି ପାରିନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଇସାରା କରି ରାହୁଲ କହିଥିଲେ…

  • ତୁମେ ମଣିପୁରରେ ଭାରତ ମା’ର ହତ୍ୟା କରିଛ
  • ତୁମେ ଭାରତ ମା’ର ରକ୍ଷକ ନୁହେଁ ହତ୍ୟାକାରୀ
  • ତୁମେ ସାରା ଦେଶରେ କିରୋସିନ୍ ପକାଉଛନ୍ତି
  • ମଣିପୁରକୁ ଜଳାଇଛ, ଏବେ ହରିୟାଣାକୁ ଜଳାଉଛ

ଏହାରି ଭିତରେ ମୋଦି ସରକାରଙ୍କୁ ପରୋକ୍ଷରେ ଅହଙ୍କାରୀଙ୍କ ସରକାର ବୋଲି କହିବାକୁ ପଛାଇ ନାହାଁନ୍ତି । ରାମାୟଣର ରାବଣ ଉପାଖ୍ୟାନକୁ କେନ୍ଦ୍ରରେ ରଖି ରାହୁଲ କହିଛନ୍ତି …

  • ରାବଣଙ୍କୁ ରାମ ନୁହେଁ ତା’ର ଅହଙ୍କାର ମାରିଥିଲା
  • ଲଙ୍କାରେ ହନୁମାନ ନୁହେଁ ରାବଣର ଅହଙ୍କାର ନିଆଁ ଲଗାଇଥିଲା
  • ଆପଣ ଦେଶଭକ୍ତ ନୁହେଁ ଦେଶଦ୍ରୋହୀ

ରାହୁଲ ଗାନ୍ଧୀଙ୍କ ଘନ ଘନ ଆକ୍ରମଣରେ ଘାଇଲା ହୋଇଥିବା କେନ୍ଦ୍ର ସରକାର, ଜବାବ୍ ରଖିବା ପାଇଁ ସ୍ମୃତି ଇରାନୀଙ୍କୁ ଓହ୍ଲାଇଥିଲା । ସ୍ମୃତି ଇରାନୀ ମଧ୍ୟ କାଶ୍ମୀରରୁ ଆରମ୍ଭ କରି, ଶିଖ୍ ଦଙ୍ଗା, ଧାରା ୩୭୦ କଥା ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ସେହିପରି ରାହୁଲ କରିଥିବା ଅଭିଯୋଗ ଉପରେ ସ୍ମୃତି ଇରାନୀ କହିଥିଲେ ।

  • ଭାରତ ମା’ର ହତ୍ୟା କଥା ସମୟରେ କଂଗ୍ରେସ ତାଳି ମାରୁଥିଲା
  • ତାଳି ମାରୁଥିବା କଂଗ୍ରେସ ସଦସ୍ୟଙ୍କ ମନରେ ଗଦ୍ଦାରୀ ରହିଛି
  • ମଣିପୁର ଖଣ୍ଡିତ ନୁହେଁ ଭାରତର ଅଭିନ୍ନ ଅଙ୍ଗ
  • ସଂସଦରେ ଏଭଳି ଆକ୍ରମଣାତ୍ମ ଆଭିମୁଖ୍ୟ ଠିକ୍ ନୁହେଁ
  • ଭାରତ ମା’ର ହତ୍ୟା କଥା କହିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଏବଂ ସ୍ମତି ଇରାନୀଙ୍କ ପ୍ରତି ଆକ୍ରମଣ ଭିତରେ, ଆସନ୍ତାକାଲି ମଣିୁପର ପ୍ରସଙ୍ଗରେ ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ । ସେହିପରି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଗୃହରେ ଭୋଟିଂ ହେବ ।