ପୁଅ ଶବକୁ ଧରି ମୁଣ୍ଡ ପିଟୁଛି ମାଆ, ଭାଗ୍ୟକୁ କୋଷୁଛି ବେସାହାରା ବାପା । କେଇମାସ ପରେ ବାହା ହୋଇଥାନ୍ତା ପୁଅ, ଭୁଲ ଚିକିତ୍ସାରୁ ଚାଲିଗଲା ଜୀବନ ।

1,075

କନକ ବ୍ୟୁରୋ: କୋଳଶୂନ୍ୟ ହୋଇଗଲା ମାଆ, ବୃଦ୍ଧାବସ୍ଥାରେ ବେସାହାରା ହୋଇଗଲା ବାପା । ଦଇବ ଯେବେ ମୃତ୍ୟୁର ଫାଶରେ ପୁଅକୁ ବାନ୍ଧିନିଏ, ସେତେବେଳେ ବୁଢ଼ା ବାପା-ମାଆଙ୍କ ଆଖିରୁ ଧାର ଧାର ଲୁହ ଝରିପଡ଼େ, ପୁଅ କୁଆଡେ ଗଲୁ ବୋଲି କହି ପାଟି ତୁନି ପଡ଼ିଯାଏ । କାରଣ ପୁଅକୁ ବର ବେଶରେ ଦେଖିବାର ସ୍ୱପ୍ନ ଭାଙ୍ଗିଗଲା, ପୁଅ ବାପାର ହାତ, ମାଆର ପଣତକୁ ଛାଡ଼ି ଆରପାରିକୁ ଚାଲିଗଲା । ପୁଅର ଶବକୁ ଧରି ମୁଣ୍ଡକୁ ପିଟିପିଟି ତୁନିପଡୁନି ମାଆର ପାଟି ।

ଅବାକ୍ ପଡ଼ିଯାଉଥିବା ଶବ୍ଦ ବି ଆଖପାଖ ଅଞ୍ଚଳର ଆଖିଭିଜେଇ ଦେଉଛି । ରାୟଗଡ଼ାର ଲୋକନାଥ କୌଶଲ୍ୟା, ତୁଳସୀ କୌଶଲ୍ୟାଙ୍କ ପୁଅ ପ୍ରଶାନ୍ତ କୌଶଲ୍ୟା । ନିର୍ବନ୍ଧ ସରିଥିଲା ଆସନ୍ତା ଫେବୃଆରୀରେ ହାତକୁ ଦୁଇ ହାତ ହୋଇଥାନ୍ତେ ପ୍ରଶାନ୍ତ । ହେଲେ ବିଧିର ବିଧାନ ଆଗରେ ସବୁକିଛି ଛାରଖାର ହୋଇଗଲା, ପୁଅ ପରପାରିକୁ ଚାଲିଗଲା ପରେ ନିଜକୁ କେମିତି ସମ୍ଭାଳିବେ ଏବେ ବାପା-ମାଆ?

ଏପଟେ ୨୬ ବର୍ଷୀୟ ପ୍ରଶାନ୍ତଙ୍କ ମୃତ୍ୟୁ ପଛରେ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ ହୋଇଛି । କାରଣ ପ୍ରଶାନ୍ତ ଗତ ଶନିବାର ଦିନ ନିଜ ଭାବି ସ୍ତ୍ରୀଙ୍କୁ ଦେଖାକରି ଫେରିବା ପରେ ବାଟରେ ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା । ଖବର ପାଇ ପୁଅକୁ ପରିବାର ଲୋକେ ସ୍ଥାନୀୟ ନନ୍ଦୁ ବାବୁଙ୍କ କ୍ଲିନିକକୁ ନେଇଥିଲେ  । ସେଠାରେ ତାଙ୍କୁ ଇଞ୍ଜେକସନ୍ ସହ ଏକ ସିରଫ ଖୁଆଇଥିଲେ ଡାକ୍ତର । ହେଲେ ମେଡିସିନ ଖାଇ ଘରକୁ ଫେରିବା ପରେ ଅସହ୍ୟ ବାନ୍ତି ହୋଇ ତାଙ୍କ ମୃତ୍ୟ ହୋଇଯାଇଥିବା ପରିବାର ଲୋକେ କହୁଛନ୍ତି ।

ଭୁଲ ଚିକିତ୍ସା, ନକଲି ଡାକ୍ତରଙ୍କ ପାଇଁ ଆଜି ଗୋଟେ ଭେଣ୍ଡିଆ ପୁଅକୁ ହରାଇଲେ ବାପା ମାଆ ବୋଲି ପଡୋଶୀ ଅଭିଯୋଗ ଆଣିଛନ୍ତି । ରୋଜଗାରିଆ ପୁଅକୁ ହରେଇ ଥିବା ପରିବାର ନ୍ୟାୟ ମାଗି ଏବେ ଚାନ୍ଦିଲି ଥାନାରେ କ୍ଲିନିକ ବିରୋଧରେ ଏତଲା ଦେଇଛନ୍ତି । ଆଉ ପୋଲି ସେହି ନକଲି ଡାକ୍ତରଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି ।

ପ୍ରଶାନ୍ତଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ ଏବେ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ଜଣାପଡ଼ିବ । କିନ୍ତୁ ଜଣେ ରୋଜଗାରିଆ ପୁଅକୁ ହରାଇଥିବା ବାପା-ମାଆ ଆଉ ତ ପୁଅକୁ ଫେରି ପାଇବେନି, ତେବେ କିଏ ହେବ ଏମାନଙ୍କ ପରିଣତ ବୟସର ଆଶାବାଡ଼ି?