ନମ୍ବର ୧ ଧନୀରୁ ହଟିଲେ ଏଲନ୍ ମସ୍କ । ଫ୍ରାନ୍ସର ବ୍ୟବସାୟୀ ହେଲେ ବିଶ୍ୱର ସବୁୁଠୁ ଧନୀ ବ୍ୟକ୍ତି ।

195

କନକ ବ୍ୟୁରୋ: ବିଶ୍ୱର୍ ଟପ୍-୧୦ ଧନୀ ତାଲିକାରେ ଦେଖିବାକୁ ମିଳିଛି ବଡ ଧରଣର ଅଦଳବଦଳ । ଦୀର୍ଘ ଦିନ ଧରି ବିଶ୍ୱର ଧନୀ ତାଲିକାରେ ଏକ ନମ୍ବର ଥିବା ଏଲନ୍ ମସ୍କ, ଏବେ ଆଉ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ନାହାଁନ୍ତି । ଫ୍ରାନ୍ସର ଜଣେ ବ୍ୟବସାୟୀ ବର୍ନାଲ୍ଡ ଅର୍ଣ୍ଣୋଲ୍ଟ, ତାଙ୍କୁ ଟପି ଏବେ ବିଶ୍ୱର ଏକ ନମ୍ବର ଧନୀ ହୋଇଯାଇଛନ୍ତି ।

ଫୋର୍ବସର ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସର ରିପୋର୍ଟ ମୁତାବକ, ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ବର୍ଣ୍ଣାଲ୍ଡ ଅର୍ଣ୍ଣୋଲ୍ଟ । ତାଙ୍କ ମୋଟ ସମ୍ପତିର ପରିମାଣ ୧୮୬.୫ ଅରବ ଡଲାର ହୋଇଥିବାବେଳେ, ଏଲନ୍ ମସ୍କଙ୍କ ସମ୍ପତିର ପରିମାଣ ହେଉଛି ୧୮୧.୩ ଅରବ ଡଲାର । ତେବେ ବିଶ୍ୱର ଏହି ଦୁଇ ଧନୀ ବ୍ୟକ୍ତିଙ୍କ ଭିତରେ ସମ୍ପତିର ଫରକ୍ ବେଶ କମ୍ ରହିଛି । ଯାହାକି ମାତ୍ର ୫.୨ ଅରବ ଡଲାର ଅଟେ ।

ଇଲେକ୍ଟ୍ରିକ୍ କାର ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କ ୨୦୨୧ ମସିହାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ରହିଥିଲେ । ଆମାଜନର ଜେଫ୍ ବେଜୋସଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ହାସଲ କରିଥିଲେ । ତେବେ ସେତେବେଳେ ତାଙ୍କ ସମ୍ପତି ୧୮୮ ଅରବ ଡଲାର ହେଇଯାଇଥିବାବେଳେ, ଏବେ ଏହା ତଳକୁ ଖସି ୧୮୧.୩ ଅରବ ଡଲାରରେ ପହଂଚିଛି । ଯାହାକି ତାଙ୍କୁ ବିଶ୍ୱର ଧନୀ ତାଲିକାର ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସାଇ ଦେଇଛି ।

ବିଶ୍ୱର ଧନୀ ତାଲିକାରେ ଅଦଳବଦଳ ହେଇଥିଲେ ବି, ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ନମ୍ବରରେ କୌଣସି ଅଦଳବଦଳ ହେଇନି । ସେ ଏବେ ବି ଏହି ଲିଷ୍ଟର ତୃତୀୟ ସ୍ଥାନରେ କାଏମ୍ ରହିଛନ୍ତି । ତାଙ୍କ ସମ୍ପତିର ପରିମାଣ ବର୍ତମାନ ୧୩୪.୬ ଅରବ ଡଲାର ହେଇଥିବାବେଳେ, ଅନ୍ୟତମ ଭାରତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୯୨.୮ ଅରବ ଡଲାର ସହ ଏହି ଲିଷ୍ଟର ୮ମ ସ୍ଥାନରେ ରହିଛନ୍ତି ।

ଫୋର୍ବସ ଲିଷ୍ଟର ଏହି ଟପ-୧୦ ଲିଷ୍ଟରେ ନିବେଶକ ବରେନ୍ ବଫେ ୧୦୮.୧ ଅରବ ଡଲାର ସହ ଲିଷ୍ଟର ୫ମ ସ୍ଥାନରେ ଅଛନ୍ତି । ସେହିପରି ବିଲଗେଟସ୍ ୧୦୬.୫ ଅରବ ଡଲାର ସହ ଷଷ୍ଠ, ୧୦୩.୯ ଅରବ ଡଲାର ସହ ଲେରି ଏଲିସନ୍ ସପ୍ତମ ଓ ମୁକେଶ ଅମ୍ପାନୀ ଅଷ୍ଟମ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଟପ୍-୧୦ ଧନୀ ତାଲିକା ଲିଷ୍ଟରୁ ଏଥର ଦୁଇଜଣ ଧନୀ ବ୍ୟକ୍ତି ବାଦ୍ ପଡିଛନ୍ତି । ଟପ-୧୦ରେ ଥିବା ଲେରି ପେଜ୍ ଏବଂ ସର୍ଗେ ବ୍ରିନ୍ ଏବେ ଆଉ ଟପ-୧୦ ଧନୀ ତାଲିକାରେ ନାହାଁନ୍ତି । ବିଶ୍ୱର ଏହି ଦୁଇ ଧନୀ ବ୍ୟକ୍ତି ଏବେ ଲିଷ୍ଟର ୧୧ ଆଉ ୧୨ ନମ୍ବରରେ ଥିବାବେଳେ, ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ ଏହି ଲିଷ୍ଟର ୨୬ ନମ୍ବର ସ୍ଥାନରେ ଅଛନ୍ତି ।