ବାପା, ମା’ ପୋଡିଗଲା ପରେ ପାଠପଢା ବୟସରେ ପରିବାର ବୋଝ: ଭଙ୍ଗା ଦଦରା ଘରେ ୩ ଭାଇଭଉଣୀଙ୍କୁ ଲାଳନ ପାଳନ ଦାୟିତ୍ୱ

99

କନକ ବ୍ୟୁରୋ: ଖେଳକୁଦ ଓ ପାଠପଢା ବୟସରେ ପରିବାର ବୋଝ । ବାପା ମା’ ନଥିବାବେଳେ ନିଜେ ବାପା ମା’ ହୋଇ ପାଳୁଛନ୍ତି ୩ ଛୁଆଙ୍କୁ । ନା ଘର ଅଛି ନା ମିଳୁଛି କୌଣସି ସାହାଯ୍ୟ ସହଯୋଗ । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଭଙ୍ଗା ଦଦରା ଘରେ ଅସହାୟ ଜୀବନ ଜୀଉଁଛନ୍ତି ଖୋର୍ଦ୍ଧା ନୀଳକଣ୍ଠପୁର ଆଦିବାସୀ ସାହିର କୋମଳମତି ଝିଅ ପୁଷ୍ପାଂଜଳି । ବୟସ ମାତ୍ର ୧୫ ବର୍ଷ ହେଲେ ବୋଝ ସମ୍ଭାଳିଛନ୍ତି ପରିବାରର । ଛାତିକୁ ପଥର କରି ୩ ଭାଇ ଭଉଣୀଙ୍କ ସମସ୍ତ ଅଳି ଅର୍ଦ୍ଦଳି ପୂରଣ କରୁଛନ୍ତି । ମାଆ ଭଳି ନିଜ ହାତରେ ଖୁଆଇ ଦେଉଛନ୍ତି ଆଉ ସମସ୍ତ ପ୍ରକାରର ଯତ୍ନ ନେଉଛନ୍ତି । ସମସ୍ତ କଷ୍ଟ ସହି ପରିବାର ଚଳାଇବା ସହିତ ନିଜ ଭାଇ ଭଉଣୀଙ୍କୁ ବଡ କରିବାର ସ୍ୱପ୍ନ ପୁଷ୍ପାଂଜଳିଙ୍କର । ଘରେ ନିଆଁ ଲାଗି ସମ୍ପୁର୍ଣ୍ଣର୍ର୍ ପରିବାର ଉଜୁଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାପାମା ଚାଲିଯାଇଥିବା ବେଳେ ଘରଦ୍ୱାର ପୋଡି ପାଉଁଶ ହୋଇଯାଇଛି । ଆଉ ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏବେ ଏମାନଙ୍କ ଜୀବନ । ପରିବାର ଘରଦ୍ୱାର ଯିବା ପୁଷ୍ପା ଅଧାରୁ ପାଠ ଛାଡି ଅଂଟାଭିଡି ବାହାରିଛନ୍ତି ନିଜ ଭାଇ ଭଉଣୀକୁ ମଣିଷ କରି ଗଢିତୋଳିବାକୁ । ଏହି ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ମିଳିପାରିଲେ ସେମାନେ ପୁଣି ଏକ ନୂଆ ଜୀବ ଆରମ୍ଭ କରିପାରିବେ ।