ଥମୁନି ‘ଆଦାନୀ’ ସଙ୍କଟ ବିବାଦ । ଲଗାତାର ତୃତୀୟ ଦିନରେ ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

85

କନକ ବ୍ୟୁରୋ: ଶିଳ୍ପପତି ଗୌତମ ଆଦାନୀଙ୍କୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉଛି । ମଙ୍ଗଳବାର ଲଗାତାର ତୃତୀୟ ଦିନରେ ସଂସଦରେ ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଦାନୀଙ୍କ ପାଇଁ ୨୦୧୪ରେ ନରେନ୍ଦ୍ର ମୋଦୀ କ୍ଷମତା ଆସିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ବିମାନରେ ଆଦାନୀଙ୍କ ସହ ମୋଦୀଙ୍କ ଫଟୋ ଦେଖାଇ କିପରି ଆଦାନୀଙ୍କ ସମ୍ପତି ୮ ବିଲୟନ ଡଲାରରୁ ୧୪୦ ବିଲିୟନ ଡଲାର ହେଲା ତାର ଉତ୍ତର ମାଗିଛନ୍ତି ରାହୁଲ । ଏପଟେ ରାହୁଲଙ୍କୁ ବଣୁଆ ଭଳି ଅଭିଯୋଗ ନକରି ପ୍ରମାଣ ଦେବାକୁ କହିଲେ ଆଇନ ମନ୍ତ୍ରୀ କିରଣ ରିଜିଜୁ ।

  • ଥମୁନି ‘ଆଦାନୀ’ ସଙ୍କଟ ବିବାଦ
  • ଲୋକସଭାରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ
  • ‘ଆଦାନୀଙ୍କ ପାଇଁ କ୍ଷମତାଙ୍କୁ ଆସିଛି ବିଜେପି’

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉନି । ଏହି ପ୍ରସଙ୍ଗରେ ଲଗାତାର ତୃତୀୟ ଦିନରେ ସଂସଦରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲୋକସଭାରେ ମୋଦୀଙ୍କ ସହ ଆଦାନୀଙ୍କ ଫଟୋ ଦେଖାଇ ୨୦୧୪ ସଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପଛରେ ଶିଳ୍ପପତି ଗୌତମ ଆଦାନୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ରାହୁଲ । ବିଶ୍ୱ ଧନୀ ତାଲିକାରେ ୬୦୦ ନମ୍ବରରେ ଥିବା ଆଦାନୀ କିପରି ଦୁଇ ନମ୍ବର ସ୍ଥାନକୁ ଆସିଲେ ଏବଂ ୮ ବିଲିୟନ ଡଲାର ସମ୍ପତ୍ତିରୁ କିପରି ୧୪୦ ମିଲିୟନ ଡଲାରକୁ ବୃଦ୍ଧି ପାଇଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଆଉ ରାହୁଲଙ୍କ ଏଭଳି ଅଭିଯୋଗ ପରେ ତାଙ୍କୁ କଡା ଭାଷାରେ ସମାଲୋଚନା କରଛି ବିଜେପି ।

  • ରାହୁଲଙ୍କୁ ‘ବଣୁଆ’ କହିଲା ବିଜେପି
  • ସେୟାର ପାଇଁ ଋଣ ସୁଝିିଲେ ଆଦାନୀ

ରାହୁଲଙ୍କ ଏଭଳି ଅଭିଯୋଗ ପରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ବଣୁଆ ଭଳି ଅଭିଯୋଗ ନଆଣି ପ୍ରମାଣ ଦେବାକୁ କହିଛନ୍ତି ରିଜିଜୁ । ତୁମେ ଜଣେ ବରିଷ୍ଠ ସାଂସଦ । ତୁମେ ଦାୟୀତ୍ୱସମ୍ପନ୍ନ ଭାବେ କହିବା ଆବଶ୍ୟକ ବୋଲି ରାହୁଲଙ୍କୁ କହିଥିଲେ ରିଜିଜୁ । ଏପଟେ ସଙ୍କଟରେ ପଡିଯାଇଥିବା ଗୌତମ ଆଦାନୀ, ବନ୍ଧକ ଥିବା ସେୟାର ମୁକୁଳାଇବା ପାଇଁ ବାକି ଥିବା ୯ ଶହ ୪୩ ହଜାର କୋଟି ଟଙ୍କାର ଋଣ ସୁଝିିଛନ୍ତି । ଯାହା ଦ୍ୱାରା ଆଦାନୀ ଟ୍ରାନ୍ସମିଶନର ୧୧. ୭୭ ମିଲିୟନ, ଆଦାନୀ ପୋର୍ଟ୍ସର ୧୬୮. ୨୭ ମିଲିୟନ ଏବଂ ଆଦାନୀ ଗ୍ରୀନ୍ ଏନର୍ଜୀର ୨୭. ୫୬ ମିଲିୟନ ସେୟାର ରିଲିଜ ହୋଇଛି । ଆଉ ଏହାପରେ ଆଦାନୀ ଗ୍ରୁପର ସେୟାର ୧୫ ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମଳିଛି ।

ବାସ୍ତବରେ ନରେନ୍ଦ୍ର ମୋଦୀ ସରକାର ଗଠନ ପଛରେ ଆଦାନୀଙ୍କ ହାତ ଅଛି କି ନାହିଁ ତାହା ଅଲଗା କଥା ହେଲେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଯେ ଆକାଶଛୁଁଆ ହୋଇଥିଲା ଏଥିରେ କୌଣସି ସନ୍ଦେହ ନାହିଁ ।