ତୁର୍କୀ ଓ ସିରିଆରେ ଭୂକମ୍ପ ପରେ ସାମନାକୁ ଆସିଲା ଲୁହ ଓ କୋହର ଛାତିଥରା ଦୃଶ୍ୟ: ଗଲାଣି ୪ ହଜାରରୁ ଅଧିକ ଲୋକଙ୍କ ଜୀବନ

126

କନକ ବ୍ୟୁରୋ: ଯେଉଁ ଘର ଖରା, ବର୍ଷାରୁ ସୁରକ୍ଷିତ ରଖୁଥିଲା ସେଇ ଘର ଆଜି ପରିବାର ପାଇଁ କବର ପାଲଟିଯାଇଛି । ତୁର୍କୀରେ ଲାଗ ଲାଗ ଭୂମିକମ୍ପ ଝଟକା ପରେ ଦେଖିବାକୁ ମିଳିଛି ଏମିତି ଭୟଙ୍କର ଦୃଶ୍ୟ । ଭଗ୍ନାବଶେଷ ତଳୁ ଜୀବିତ ଲୋକଙ୍କୁ ଉଦ୍ଧାର ଓ ମୃତଦେହ ବାହାର କରିବାର ଦୃଶ୍ୟ ଛାତିକୁ ଥରାଇ ଦେଉଛି । କିଏ ମାଆ, କିଏ ବାପା ଆଉ କିଏ ସ୍ତ୍ରୀ ତ ପୁଣି କିଏ ପୁଅ, ଝିଅ ପୁଣି କିଏ ସର୍ବସ୍ୱ ହରାଇ ବାହୁନି ବାହୁନି କାନ୍ଦୁଛି । ତୁର୍କୀ ଓ ସିରିୟା ପାଇଁ ଦାରୁଣ ଦୁଃଖ ଆଣି ଦେଇଛି ପ୍ରାକୃତିକ ବିପର୍ଯ୍ୟୟ । ଭୟଙ୍କର ଭୂକମ୍ପର କିଛି ଛାତିଥରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଦୃଶ୍ୟ-୧ – ଅଟ୍ଟାଳିକାର ଏକ ଭଗ୍ନାବଶେଷ ତଳୁ ନବଜାତକକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭୂକମ୍ପ ପରେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ବେଳେ ମହିଳାଜଣକ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି ।

ଦୃଶ୍ୟ-୨ – ଆତ୍ମୀୟସ୍ୱଜନକୁ ହରାଇ ଜଣେ ତୁର୍କୀ ନାଗରିକ କାନ୍ଦି କାନ୍ଦି ତାଙ୍କୁ ଦୁଃଖ କାହାଣୀ କହୁଛନ୍ତି । ହାତ ଯୋଡି ଆକାଶକୁ ଅନାଇ ଇଶ୍ୱରଙ୍କୁ ପ୍ରଶ୍ନ କରୁଛନ୍ତି, ଏଭଳି ଦାରୁଣ ଦୁଖ ଦେଲ କାହିଁକି ।

ଦୃଶ୍ୟ-୩ – ଆପାର୍ଟମେଂଟ ଓ ଅଟ୍ଟାଳିକାର ଭଗ୍ନାବଶେଷ ତଳୁ ଜୀବିତ ଲୋକଙ୍କୁ ଉଦ୍ଧାର କରୁଥିବା ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖିଲେ ଆପଣ ବି ବିଚଳିତ ହୋଇପଡିବେ, କାମନା କରିବେ ଏଭଳି ଦୁଃଖ ଶତ୍ରୁକୁ ବି ନମିଳୁ ।

ଗତ ୪୮ ଘଂଟାରେ ତୁର୍କୀ ଓ ସିରିୟାରେ ୪ରୁ ଅଧିକ ଥର ଭୂକମ୍ପ ଝଟକା ଲୋକଙ୍କୁ ଆତଙ୍କିତ କରିଦେଇଛି । ତୁର୍କୀର ୧୦ରୁ ଅଧିକ ସହର ଧ୍ୱଂସସ୍ତୁପ ପାଲିଟିଯାଇଛି । ତୁର୍କୀ ଓ ସିରିୟାରେ ୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଦାରି ରହିଥିବାରୁ ମୃତାହତ ସଂଖ୍ୟା ବଢିବା ଆଶଙ୍କା ରହିଛି । ଆଖି ପିଛୁଳାକେ ସବୁ ଧୁଳିସାତ ହୋଇଯାଇଛି ବଡ ବଡ ଅପାର୍ଟମେଟ, ହୋଟେଲ, ମଲ, ହସ୍ପିଟାଲ । ଏପରି ସମୟରେ ଲୋକଙ୍କ କଷ୍ଟ ବଢାଇ ଦେଇଛି ତୁଷାରପାତ । ହଜାର ହଜାର ବାସହରା ଲୋକଙ୍କୁ କଷ୍ଟକୁ ଦ୍ୱିଗୁଣିତ କରିଛି ପ୍ରବଳ ଥଣ୍ଡା ଓ ଖାଦ୍ୟ ପାନୀୟ ସମସ୍ୟା ।

ତୁର୍କୀର କଠନ ସମୟରେ ସହାୟତାର ହାତ ବଢାଇଛି ଭାରତ । ମଙ୍ଗଳବାର ଗାଜିଆବାଦ ଏୟାରପୋର୍ଟରୁ ରିଲିଫ ସାମଗ୍ରୀ ମେଡିକାଲ ଓ ଏନଡିଆରଏଫ ଟିମଙ୍କୁ ନେଇ ତୁର୍କୀ ଯାତ୍ରା କରିଛି ବାୟୁସେନାର ସି-୧୭ ବିମାନ । ସେପଟେ ପଶ୍ଚିମବଙ୍ଗରୁ ମଧ୍ୟ ୫୧ ସଦସ୍ୟ ବିଶିଷ୍ଟ ଏନଡିଆରଟିମ ତୁର୍କୀ ଯାତ୍ରା କରିଛନ୍ତି । ସେପଟେ ମାନବୀୟ ସହାୟତା ପାଇଁ ତୁର୍କୀ ରାଷ୍ଟ୍ରଦୂତ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ତୁର୍କୀ ଓ ସିରିୟାରେ ଭୂକମ୍ପର ଭୟଙ୍କର ପରିଣତି ଦେଖିବା ପରେ ଆସନ୍ତୁ ଏକ ପ୍ରତୀକାତ୍ମକ ଚିତ୍ର ଜରିଆରେ ବୁଝିବାକୁ ଚେଷ୍ଟା କରିବା କାହିଁକି ହୁଏ ଭୂମିକମ୍ପ । ଭୂପୃଷ୍ଠ ଉପରେ ଥିବା ବିଶାଳ ଭୂଖଣ୍ଡକୁ ଟେକ୍ଟୋନିକ୍ ପ୍ଲେଟ୍ କୁହାଯାଏ । ଏହି ଟେକ୍ଟୋନିକ୍ ପ୍ଲେଟ୍ ସବୁବେଳେ ଗତିଶୀଳ ଅବସ୍ଥାରେ ଥାଏ । ଗତିଶୀଳ ଅବସ୍ଥାରେ ସାମାନ୍ୟ ବିଚ୍ୟୁତି ହେଲେ ଭୂମିକମ୍ପ ହୋଇଥାଏ । ପରସ୍ପର ଭିତରେ ପ୍ଲେଟ୍ ମାଡ ହେଲେ ହୋଇଥାଏ ଭୂମିକମ୍ପ । ସେହିପରି ଯଦି ଦୁଇଟି ଟେକ୍ଟୋନିକ୍ ପ୍ଲେଟ ପରସ୍ପରକୁ ଖୁବ୍ ଜୋର୍ ସେ ଧକ୍କା ଦିଅନ୍ତି, ତାହାଲେ ସେଥିରେ ପାହାଡ ସୃଷ୍ଟି ହୋଇଥାଏ । ପ୍ଲେଟ୍ ପରସ୍ପର ମାଡ ହୋଇ ଉପରକୁ ଉଠି ପାହାଡ ସୃଷ୍ଟି କରେ । ପୃଥିବୀ ଉପରେ ଏବେ ୧୭ଟି ଟେକ୍ଟୋନିକ୍ ପ୍ଲେଟ୍ ରହିଛି ।