ମରି ବି ଅମର ହୋଇଗଲେ ସୁଧାଂଶୁ: ୫ ବର୍ଷର ଶିଶୁ ବଂଚାଇଲେ ଦୁଇ ବ୍ୟକ୍ତିଙ୍କ ଜୀବନ

139

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ହୋଇଛି କିଡନୀ ଟ୍ରାନ୍ସପ୍ଲାଂଟ୍ । ଦୁଇଟି ଅମୂଲ୍ୟ ଜୀବନ ବଂଚାଇଛନ୍ତି ଡାକ୍ତର । ସାଢ଼େ ୫ ବର୍ଷର ଶିଶୁ ସୁଧାଂଶୁ ମୃତ୍ୟୁ ପରେ ବି ଦୁଇ ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ । ଆଉ ସବୁଠୁ ମହତ କାର୍ଯ୍ୟ କରିଛନ୍ତି ସୁଧାଂଶୁର ବାପା-ମାଆ । ସେମାନେ ଛାତିି ଉପରେ ପଥର ରଖି ନିଜ ପିଲାର କିଡନୀକୁ ଦାନ କରିଛନ୍ତି ।

ସୌମ୍ୟରଂଜନ ଲେଙ୍କାଙ୍କ ୫ ବର୍ଷର ପୁଅ ସୁଧାଂଶୁ, ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱର କିମ୍ସ ହସପିଟାଲ୍ରେ ଭର୍ତି ହୋଇଥିଲେ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ପିଲାର ବଂଚିବା ସମ୍ଭବ ହୋଇନଥିଲା । ମସ୍ତିଷ୍କ ଓ ଶରୀରର ଅନ୍ୟ ଅଙ୍ଗ ଅଚଳ ହୋଇ ପଡିବାରୁ ପିଲାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ପିଲାର ବଂଚିବାର ଆଶା ନଥିବାରୁ କିଡନୀ ଦାନ କରିବାକୁ ପରିବାର ପକ୍ଷରୁ ନିଜ ଆଡୁ ହସ୍ପିଟାଲକୁ ଜଣାଇ ଦିଆଯାଇଥିଲା । ବାପା-ମାଆଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବାପା-ମାଆଙ୍କ ଏହି ମହାନ କାର୍ଯ୍ୟକୁ ସଫଳ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଆପୋଲୋ ହସପିଟାଲର ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀରଣ ଅଧିକାରୀ । କଟକ ମେଡିକାଲରେ ଗୋଟିଏ କିଡନୀ ଫେରି ଆସିବା ପରେ ଦୁଇଟି ଯାକ କିଡନୀ ସଫଳତାର ସହ ପ୍ରତିରୋପଣ ହୋଇଛି ଆପୋଲୋ ହସ୍ପିଟାଲରେ ।