ପୌର ଟିକେଟ ପାଇଁ ନେତାଙ୍କ ଘରେ ଲାଗିଲା ଆଶାୟୀଙ୍କ ଭିଡ: ସେପଟେ ପ୍ରାର୍ଥୀ ଚୟନ ପାଇଁ ସବୁ ଦଳର ମାନସମନ୍ଥନ 

133

କନକ ବ୍ୟୁରୋ: ସହରାଂଚଳ ଭୋଟର କାହାକୁ ଦେବେ ସମର୍ଥନ? ପୌର ନିର୍ବାଚନକୁ ନେଇ ରାଜନୈତିକ ଦଳର କସରତ । ଦୋକାନ ବଜାର ଓ ଖଟି ମୁଣ୍ଡରେ ଚାଲିଛି ପୌର ନିର୍ବାଚନ ଚର୍ଚ୍ଚା  ସରକାରୀ ବାସଭବନରେ ଆଶାୟୀଙ୍କ ଭିଡ । କିଏ ମୁଣ୍ଡିଆ ମାରୁଛି ତ ଆଉ କିଏ ପରୋକ୍ଷରେ ପ୍ରାର୍ଥୀ କଥା କହି ଲବିକୁ ଜୋରଦାର କରୁଛି । ଏଠି ମାଳ ମାଳ ମହିଳା ଆଶାୟୀ, ନିଜ ସମର୍ଥକଙ୍କୁ ଧରି ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନ ଆଗରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଏପଟେ ପଂଚାୟତ ନିର୍ବାଚନରେ ଚରମ ବିଫଳତାକୁ ଭୁଲି ପୌର ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି ବିରୋଧୀ । ପୌର ନିର୍ବାଚନରେ ଦମଦାର ପ୍ରତ୍ୟାବର୍ତନ କରିବା ପାଇଁ କଂଗ୍ରେସ ଭବନରେ ବରିଷ୍ଠ ନେତାଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ଦଳୀୟ ଟିକେଟ କାହାକୁ ଦିଆଯିବ, କିଏ ହେବ ମେୟର ପ୍ରାର୍ଥୀ । ଏନେଇ ବରିଷ୍ଠ ନେତା ନରସିଂହଙ୍କ ମିଶ୍ର ଅଧ୍ୟକ୍ଷତାରେ ଆଲୋଚନା ହୋଇଛି । ସେପଟେ ବିଜେପି ମଧ୍ୟ ଖୁବ ଶୀଘ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି ।

ରାଜନୀତିର ସବୁଠୁ ବଡ ହଟସ୍ପଟ କୁହାଯାଉଥିବା ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀଙ୍କ ନାଁକୁ  ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଭିତରେ ମାନସ ମନ୍ଥନ ଚାଲିଛି । ସେପଟେ କଟକରେ କଂଗ୍ରେସ ପ୍ରଥମ ଦଳ ଭାବେ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି ।