୧୬ ତାରିଖରୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ହେବ ପାଠପଢା

538

କନକ ବ୍ୟୁରୋ: ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ । ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି ଲେଖିଛନ୍ତି ସଚିବ ସତ୍ୟବ୍ରତ ସାହୁ । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହେବ ନବମ ଶ୍ରେଣୀର ପାଠପଢ଼ା ।
ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ତେବେ ରବିବାର ଓ ଅନ୍ୟ ଛୁଟିଦିନରେ ପାଠପଢ଼ା ହେବନାହିଁ । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପା ମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ । ଅଫଲାଇନ କିମ୍ବା ଅନ୍ଲାଇନ ମୋଡରେ କ୍ଲାସ କରିପାରିବେ ପିଲା । ସ୍କୁଲ ଓ କ୍ଲାସ ରୁମରେ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସିଙ୍କ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ । ନବମ ଶ୍ରେଣୀ ପିଲାଙ୍କ ପାଇଁ କରୋନା କଟକଣା ଭତରେ ହଷ୍ଟେଲ ଖୋଲିବ ବୋଲି କହିଛି ଗଣଶିକ୍ଷା ବିଭାଗ ।