ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର । ଶେଷ ଦିନ ହୋଇଥିବାରୁ ସବୁ ଜୋର ଲଗାଇବେ ପ୍ରାର୍ଥୀ ।

578

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର । ଆଉ ଶୁଭିବନି ପ୍ରଚାରର ସେହି କୋଳାହଳ । ଶେଷ ଦିନରେ ଜନତାଙ୍କ ମନ ଜିଣିବା ପାଇଁ କିଛି ବି କସରତ ଛାଡ଼ିବାକୁ ଚାହିଁବେନି ପ୍ରାର୍ଥୀ । ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ । ଚଳିତ ନିର୍ବାଚନରେ ଅଧିକ ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା । ଉଭୟ ବିଜେପି ଓ ବିଜେଡିର ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପିର ଅନ୍ୟ ବଡ଼ ନେତା । ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟପଟେ କଂଗ୍ରେସର ସେଭଳି କୌଣସି ତାରକା ପ୍ରଚାରକଙ୍କୁ ଦେଖିବାକୁ ମିଳିନାହିଁ । ତେଣୁ ବ୍ରହ୍ମପୁରରେ ବିଜେଡି ବନାମ ବିଜେପି ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ । ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଟିକେଟରୁ ଲଢ଼ୁଛନ୍ତି ଭୃଗୁ ବକ୍ସିପାତ୍ର । ସେହିପରି କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ବଡ଼ ଲଢ଼େଇ ଦେଖିବାକୁ ମିଳିପାରେ ।