୧୯୨୮ ମସିହାରୁ ୨୦୨୧ । ଅଲିମ୍ପିକ୍ସରେ ଏମିତି ଥିଲା ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । ଜିତିଛି ୮ ସ୍ୱର୍ଣ୍ଣ, ୧ ରୌପ୍ୟ, ୩ ବ୍ରୋଞ୍ଜ ପଦକ ।

1,318

କନକ ବ୍ୟୁରୋ: ଅଲିମ୍ପିକ୍ସ କଥା ଉଠିଲେ ସାଙ୍ଗେ ସାଙ୍ଗେ ଆଖି ଆଗକୁ ଚାଲିଆସେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । କାହିଁକି ନା, ଏବେ ସୁଦ୍ଧା ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ମୋଟ ୮ଟି ସ୍ୱର୍ଣ୍ଣପଦକ ହାତେଇଥିବାବେଳେ, ସର୍ବମୋଟ ୧୨ଟି ମେଡାଲ ଜିତିସାରିଛି । ୧୯୨୮ ମସିହାର ଅଲିମ୍ପିକ୍ସ ହେଉ ଅବା ୨୦୨୧ର ଟୋକିଓ ଅଲିମ୍ପିକ୍ସ ସବୁଠି ଭାରତୀୟ ହକି ଦଳ ନିଜର ଜଲୱା ଦେଖାଇଥିବାବେଳେ ଦର୍ଶକଙ୍କ ମନ ଜିତିଛି ।

କରୋନା କାଳରେ ସାରା ବିଶ୍ୱ ମହାମାରୀକୁ ନେଇ ଭୟରେ ଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ଆଉ ଜର୍ମାନୀକୁ ପରାଜିତ କରି ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ପୁରୁଷ ହକି ଦଳ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ଅଲିମ୍ପିକ୍ସରେ ଭାରତୀୟ ହକିର ‘ସ୍ୱର୍ଣ୍ଣିମ ଇତିହାସ’ ବିଷୟରେ…୧୯୨୮ ମସିହା, ଏମ୍ସଟର୍ଡମ ଅଲିମ୍ପିକ୍ସ

୧୯୨୮ ମସିିହାରେ ବ୍ରିଟିଶ ଶାସନାଧୀନ ଭାରତର ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳରେ ଭାଗ ନେଇଥିଲା । ଆଉ ଏହିଠାରୁ ଲେଖାଯାଇଥିଲା ଭାରତୀୟ ହକି ଦଳର ସୁବର୍ଣ୍ଣ ଯୁଗ । ସବୁ ଦଳକୁ ମାତ୍ ଦେଇ ଭାରତୀୟ ହକି ଟିମ୍ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସୁନା ପଦକ ଜିତିଥିଲା । ଆଉ ଆପଣ ଜାଣି ଆଶ୍ଚଯ୍ୟ ହେବେ ଯେଉଁ ଦଳ ଅଲିମ୍ପିକ୍ସକୁ ଯିବାବେଳେ ମାତ୍ର ୩ ଜଣ ଲୋକ ବମ୍ବେ ପୋର୍ଟରେ ଥିଲେ, ସେହି ଦଳ ସ୍ୱର୍ଣ୍ଣ ପଦକ ଜିତି ଭାରତ ଫେରିବା ପରେ ହଜାର ହଜାର ଲୋକଙ୍କ ବାଃ ବାଃ ପାଇଥିଲା ।

୧୯୨୮, ମେ ୨୬ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ଆଉ ସାମ୍ନାରେ ଥିଲା ନେଦରଲ୍ୟାଣ୍ଡ । ଏହି ମ୍ୟାଚରେ ଭାରତର କ୍ୟାପଟେନ୍ ଜୟପାଲ ସିଂହ ମଧ୍ୟ ଦଳରେ ନଥିଲେ । ଫିରୋଜ ଖାନ ଆଉ ସୌକତ ଅଲ୍ଲୀଙ୍କ ଭଳି ଖେଳାଳି ଆହତ ଓ ଜ୍ୱରରେ ପଡି ବେଞ୍ଚରେ ବସିଥିଲେ । ଏପରି ସ୍ଥିତିରେ ଭାରତୀୟ ହକିର ଷ୍ଟାର ଧ୍ୟାନଚାନ୍ଦ ସାଜିଥିଲେ ଦଳର ତ୍ରାଣକର୍ତା । ନେଦରଲ୍ୟାଣ୍ଡକୁ ୩-୦ରେ ହରାଇ ଦଳ ବିଦେଶ ମାଟିରେ ଜିତିଥିଲା ପ୍ରଥମ ସ୍ୱର୍ଣ୍ଣପଦକ ।

୧୯୩୨ – ଲସ୍ ଏଞ୍ଜେଲେସ୍ ଅଲିମ୍ପିକ୍ସ

୧୯୨୮ ମସିହାର ଅଲିମ୍ପିକ୍ସ ପରେ ୧୯୩୨ ମସିହାରେ ଆରମ୍ଭ ହୋଇଥିଲା ଲସ୍ ଏଞ୍ଜେଲେସ୍ ଅଲିମ୍ପିକ୍ସ । ତେବେ ୧୯୨୯ ମସିହାର ଆର୍ଥିକ ମାନ୍ଦାବସ୍ଥା କାରଣରୁ କେବଳ ୩ଟି ଦେଶର ହକି ଟିମ୍ ଏହି ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଂଟରେ ମଧ୍ୟ ଭାରତୀୟ ହକି ଦଳ ନିଜର ଦବଦବା ଜାରି ରଖିଥିଲା । ପ୍ରଥମ ମ୍ୟାଚରେ ଦଳ ୧୧-୧ର ବଡ ବ୍ୟବଧାନରେ ଜାପାନକୁ ହରାଇବା ସହିତ ଦ୍ୱିତୀୟ ମ୍ୟାଚରେ ଆମେରିକାକୁ ୨୪-୧ ଗୋଲରେ ହରାଇଥିଲା । ଆଉ ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଜିତିଥିଲା ସ୍ୱର୍ଣ୍ଣପଦକ ।

୧୯୩୬ ମସିହା, ବର୍ଲିନ ଅଲିମ୍ପିକ୍ସ

୧୯୨୮ ମସିହା, ୧୯୩୨ ମସିହାର ସଫଳତା ପରେ ଲିଜେଣ୍ଡ ଧ୍ୟାନଚାନ୍ଦଙ୍କ କ୍ୟାପଟେନ୍ସିରେ ୧୯୩୬ ବର୍ଲିନ୍ ଅଲିମ୍ପିକ୍ସରେ ଭାଗ ନେଇଥିଲା ଭାରତୀୟ ହକି ଦଳ । ଆଉ ଲିଗ ଷ୍ଟେଜରେ ଦମଦାର ବିଜୟ ସହ ଫାଇନାଲରେ ପହଂଚିଥିଲା ଦଳ । ସେପଟେ ଦ୍ୱିତୀୟ ଦଳ ଭାବେ ବର୍ଲିନ୍ ଅଲିମ୍ପିକ୍ସ ଫାଇନାଲରେ ପହଂଚିଥିଲା ଜର୍ମାନୀ । ହେଲେ ଧ୍ୟାନଚାନ୍ଦଙ୍କ ହକି ଷ୍ଟିକର କମାଲ ଆଗରେ ଧରଶାୟୀ ହୋଇଥିଲେ ଜର୍ମାନ ଖେଳାଳି । ଭାରତ ୮-୧ର ବଡ ବ୍ୟବଧାନରେ ଜର୍ମାନୀକୁ ମାତ୍ ଦେଇ ପୁଣି ଜିତିଥିଲା ସ୍ୱର୍ଣ୍ଣପଦକ ।

କୁହାଯାଏ ଏହି ବିଜୟ ପରେ ହିଟଲରଙ୍କ ନଜରକୁ ଆସିଥିଲେ ଧ୍ୟାନଚାନ୍ଦ । ହିଟଲର, ଧ୍ୟାନଚାନ୍ଦଙ୍କୁ ତାଙ୍କ ସହ ଖାଇବାକୁ ନିମନ୍ତ୍ରଣ ଦେବା ସହିତ ଜର୍ମାନୀ ତରଫରୁ ହକି ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ଏପରିକି ତାଙ୍କୁ ଜର୍ମାନ ସେନାର କର୍ନଲ ପଦ ମଧ୍ୟ ଅଫର ଦେଇଥିଲେ ହିଟଲର । ହେଲେ ସେ ସବୁକୁ ପାଦରେ ଏଡେଇ ଦେଇଥିଲେ ହକିର ଯାଦୁଗର । ନିଜର ଏହି ଶେଷ ଅଲିମ୍ପିକ୍ସରେ ସେ ମୋଟ ୧୩ଟି ଗୋଲ କରିବା ସହିତ ଅଲିମ୍ପିକ୍ସ ଇତିହାସରେ ୩୯ଟି ଗୋଲ କରିଥିଲେ ।

୧୯୪୮, ଲଣ୍ଡନ ଅଲିମ୍ପିକ୍ସ

୧୯୪୭ ମସିହାରେ ଭାରତ ସ୍ୱାଧୀନ ରାଷ୍ଟ୍ର ହେଲା । ଆଉ ୧୯୪୮ ମସିହାରେ ଆୟୋଜିତ ହେଲା ଲଣ୍ଡନ ଅଲିମ୍ପିକ୍ସ । ଏହି ଅଲିମ୍ପିକ୍ସରେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ଦଳ ଭାବେ ଅଲିମ୍ପିକ୍ସରେ ଭାଗ ନେଲେ । ଖେଳାଳି ମଧ୍ୟ ଭାଗ ଭାଗ ହେଇଯାଇଥିବାରୁ ଏହି ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ କିପରି ରହୁଛି ତା ଉପରେ ସମସ୍ତଙ୍କର ନଜର ଥିଲା । ହେଲେ ଆରମ୍ଭରୁ ହିଁ ଦଳ ଯେଭଳି ପ୍ରଦର୍ଶନ କଲା ତା ଦେଖି ସମସ୍ତେ ଆଶ୍ଚଯ୍ୟ ହେଇଯାଇଥିଲେ । ଭାରତ – ଅଷ୍ଟ୍ରିଆ, ଆର୍ଜେଂଟିନା ଆଉ ସ୍ପେନକୁ ହରାଇ ସେମିଫାଇନାଲ । ଆଉ ତାପରେ ନେଦରଲ୍ୟାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଆଉ ଫାଇନାଲରେ ଭାରତୀୟ ହକି ଟିମ ଆଗରେ ଏଭଳି ଏକ ଦେଶ ଥିଲା । ଯିଏକି ଦୀର୍ଘ ବର୍ଷ ଧରି ଭାରତକୁ ଶାସନ କରିଆସିଥିଲା । ଲଣ୍ଡନ ଅଲିମ୍ପିକ୍ସ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ ଆଉ ଗ୍ରେଟ୍ ବ୍ରିଟେନ୍ । ଆଉ ଟିମ୍ ଇଣ୍ଡିଆ ୪-୦ ଗୋଲରେ ବ୍ରିଟେନକୁ ହରାଇ ନିଜ ଦୀର୍ଘ ବର୍ଷର ପରାଧୀନର ବଦଲା ନେଇଥିଲା ।

୧୯୫୨ ଅଲିମ୍ପିକ୍ସ /୧୯୫୬ ମେଲବର୍ଣ୍ଣ ଅଲିମ୍ପିକ

୧୯୪୮ ଭଳି ୧୯୫୨ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣପଦକ ଜିତିଥିଲା ଭାରତୀୟ ହକି ଟିମ୍ ।ଏହା ଥିଲା ଭାରତୀୟ ହକି ଟିମର ଲଗାତାର ପଂଚମ ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ । ଏହି ଟୁର୍ଣ୍ଣାମେଂଟରେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଦଳ ୬-୧ ଗୋଲରେ ହରାଇଥିଲା । ଯେଉଁଥିରୁ ଏକାକି ୫ଟି ଗୋଲ ଦେଇଥିଲେ ବଲବୀର ସିଂହ । ଯାହାକି ଆଜି ବି ରେକର୍ଡ ହେଇ ରହିଛି । ଆଉ ଏହାପରେ ୧୯୫୬ ମେଲବର୍ଣ୍ଣ ଅଲିମ୍ପିକ୍ସରେ ମଧ୍ୟ ସେହି ସମାନ ଇତିହାସକୁ ଦୋହରାଇଥିଲା ଭାରତ । ହେଲେ ୫୬ ମସିହାର ଏହି ଅଲିମ୍ପିକ୍ସ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ ଆଉ ପାକ୍ ।  ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମୁହାମୁହିଁ ହୋଇଥିଲେ ଭାରତ ଆଉ ପାକିସ୍ତାନ । ଯାହାକି ବେଶ ରୋମାଂଚକର ହୋଇଥିଲା । ଫାଇନାଲ ମ୍ୟାଚରେ ଭାରତ, ପାକିସ୍ତାନକୁ ୧-୦ ଗୋଲରେ ହରାଇ ଲଗାତାର ଛଅ ଥର ପାଇଁ ସ୍ୱର୍ଣ୍ଣପଦକ ନିଜ ନାଁରେ କରିଥିଲା ।

୧୯୬୦ ରୋମ୍ ଅଲିମ୍ପିକ୍ସ

୧୯୬୦ ମସିହାର ରୋମ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ପ୍ରଥମ ଥର ପାଇଁ ନିରାଶ ହୋଇଥିଲା । ଆଉ ଫାଇନାଲରେ ପାକିସ୍ତାନଠାରୁ ପରାସ୍ତ ହୋଇ ରୌପ୍ୟପଦକରେ ନିଜକୁ ସନ୍ତୁଷ୍ଟ କରିଥିଲା । ଦଳ ଫାଇନାଲ ପର୍ଯ୍ୟନ୍ତ ଯିବା ପାଇଁ ସବୁଦଳକୁ ହରାଇଥିଲେ ମଧ୍ୟ ଫାଇନାଲରେ ପାକିସ୍ତାନଠୁ ହାରି ଯାଇଥିଲା । ଆଉ ଲଗାତାର ୭ମ ଥର ସ୍ୱର୍ଣ୍ଣ ବିଜୟର ସ୍ୱପ୍ନ ଭାରତୀୟ ଟିମର ଧ୍ୱଂସ ହୋଇଯାଇଥିଲା । ହେଲେ ଏହି ପରାଜୟର ବଦଲା ଟିମ୍ ଇଣ୍ଡିଆ ଆଗାମୀ ୧୯୬୪ ମସିହା ଟୋକିଓ ଅଲିମ୍ପିକ୍ସରେ ନେଇଥିଲା । ଟୁର୍ଣ୍ଣାମେଂଟର ଫାଇନାଲରେ ଦୁଇ ଫେଭରେଟ୍ ଟିମ୍ ଭାରତ-ପାକିସ୍ତାନ ପୁଣି ମୁହାଁମୁହିଁ ହୋଇଥିଲେ । ଆଉ ଟିମ୍ ଭାରତ ଏହି ମ୍ୟାଚରେ ୧-୦ ଗୋଲରେ ପାକିସ୍ତାନରେ ହରାଇ ପୁଣି ଥରେ ନିଜର ସ୍ୱର୍ଣ୍ଣ ବିଜୟ ହାସଲ କରିଥିଲ।।

୧୯୬୮ ମେକ୍ସିକୋ ଅଲିମ୍ପିକ୍ସ

୧୯୬୪ ମସିହା ପରେ ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲକୁ ଯାଇ ପାରିନଥିଲା । ସେମିଫାଇନାଲରେ ହିଁ ଦଳ ଅଷ୍ଟ୍ରେଲିଆଠାରୁ ୨-୧ ଗୋଲରେ ହାରିଯାଇଥିଲା । ହେଲେ ଦଳ ପଶ୍ଚିମ ଜର୍ମାନୀକୁ ହରାଇ ତୃତୀୟ ସ୍ଥାନରେ ରହିବା ସହିତ କାଂସ୍ୟ ପଦକ ହାସଲ କରିଥିଲା । ଖାଲି ସେତିକି ନୁହେଁ, ୧୯୬୮ ମସିହା ଭଳି ୧୯୭୨ ଅଲିମ୍ପିକ୍ସରେ ମଧ୍ୟ ଦଳ ଫାଇନାଲ ନଯାଇପାରି କାଂସ୍ୟ ପଦକ ଜିତିଥିଲା । ଏଥର ବି ଦଳ ସେମିଫାଇନାଲରେ ପାକିସ୍ତାନଠୁ ହାରି ଯାଇଥିଲା ଆଉ ନେଦରଲ୍ୟାଣ୍ଡଠାରୁ ଜିତି କାଂସ୍ୟ ପଦକ ହାତେଇଥିଲା । ଏହାଥିଲା ଅଲିମ୍ପିକ୍ସରେ ଭାରତର ୧୦ମ ପଦକ ।୧୯୮୦ ମସ୍କୋ ଅଲିମ୍ପିକ୍ସ

୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ମସ୍କୋ ଅଲିମ୍ପିକ୍ସ ଏକମାତ୍ର ଶେଷ ଅଲିମ୍ପିକ୍ସ ଥିଲା ଯେଉଁଥିରେ ଭାରତୀୟ ହକି ଟିମ୍ ମେଡାଲ ଜିତିଥିଲା । ଆଉ ତାପରେ ୨୦୨୦ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ କୌଣସି ଅଲିମ୍ପିକ୍ସରେ ମେଡାଲ ଜିତିପାରିନଥିଲା । ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପୁଣି ଇତିହାସର ପୁରୁଣା ପୃଷ୍ଠା ଲେଉଟାଇବା ସହିତ ସବୁ ଦଳକୁ ମାତ୍ ଦେଇଥିଲା । ଆଉ ଏକ ରୋମାଂଚକର ଫାଇନାଲ ମ୍ୟାଚରେ ସ୍ପେନକୁ ହରାଇ ଅଷ୍ଟମ ଥର ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲା ।

୨୦୨୦ ଟୋକିଓ ଅଲିମ୍ପିକ୍ସ

୧୯୮୦ର ମସ୍କୋ ଅଲିମ୍ପିକ୍ସ ଆଉ ୨୦୨୦ର ଟୋକିଓ ଅଲିମ୍ପିକ୍ସ ଭିତରେ ପ୍ରାୟ ୪ ଦଶନ୍ଧୀ ସମୟ ବିତିଯାଇଥିଲା । ହେଲେ ଭାରତୀୟ ହକି ଦଳ କୌଣସି ଅଲିମ୍ପିକ୍ସରେ ମେଡାଲ ଜିତିପାରିନଥିଲା । ଏଥର ଦଳ କ୍ୟାପେଟନ୍ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଟୋକିଓ ଯାତ୍ରା କରିଥିଲା । ଆଉ ଏବେ ଦଳ ଯାହା କରିଦେଖେଇଛି ତା ସମସ୍ତଙ୍କୁ ଜଣା । ଦଳ ସେମିଫାଇନାଲରେ ବେଲଜିୟମଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଜର୍ମାନୀକୁ ହରାଇ କାଂସ୍ୟ ପଦକ ଜିତିଛି ।

୮ ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ ଏବଂ ୩ ଥର ବ୍ରୋଞ୍ଜ । ବାସ୍ ଅଲିମ୍ପିକ୍ସରେ ଏମିତି କିଛି ଥିଲା ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ଇତିହାସ । ଜୟପାଲ ସିଂହଙ୍କ ଠାରୁ ଧ୍ୟାନଚାନ୍ଦ । ବାସୁଦେବନ ଭାସ୍କରନଙ୍କଠାରୁ ମନପ୍ରୀତ ସିଂହ । ଏହି ଖେଳାଳିମାନଙ୍କର ଅଧିନାୟକତ୍ୱରେ ଭାରତ ଅଲିମ୍ପିକ୍ସ ଇତିହାସ ପୃଷ୍ଠାରେ ଲେଖିଛି ନୂଆ ନୂଆ ଇତିହାସ ।