ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍ ଆଶ୍ୱସ୍ତି । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ।ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ଅରବିନ୍ଦ କେଜରିୱାଲ ।

271

କନକ ବ୍ୟୁରୋ: କହିଥିଲି ଶୀଘ୍ର ଫେରିବି । ଦେଖ ଆସିଗଲି । ଜେଲରୁ ବାହାରିବା ପରେ ଦିଲ୍ଲୀବାସୀଙ୍କୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ସୁପ୍ରିମକୋର୍ଟରୁ ଅନ୍ତରିଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହରିଛନ୍ତି । ଆଉ ଜେଲରୁ ବାହାରି ବିରୋଧୀଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଦେଶକୁ ତାନାସାହି ଶାସନରୁ ମୁକ୍ତ କରିବାକୁ ଜନତାଙ୍କୁ ଆହ୍ୱାନ କରିଛନ୍ତି କେଜ୍ରିୱାଲ । ଭାରତ ମାତା କି ଜୟ ଓ ଇନକ୍ଲାମ ଜିନ୍ଦାବାଦର ନାରା ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଜେଲରୁ ବାହାରିବା ପରେ ତାଙ୍କୁ ସ୍ୱାଗତ କରିବାକୁ ରାସ୍ତାରେ ଏକାଠି ହୋଇଥିଲେ ହଜାର ହଜାର ସମର୍ଥକ । ପତ୍ନୀ ସୁନିତା କେଜ୍ରିୱାଲ, ଆପ୍ ବିଧାୟକ ଓ ସାଂସଦ ମାନେ ମଧ୍ୟ ପହଁଚିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ଯାଏ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିବା ସହ ଜୁନ ୨ରେ କେଜ୍ରିୱାଲଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ସେ କୌଣସି ସରକାରୀ କାର୍ଯ୍ୟ କରିପାରିବେ ନାହିଁ । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ତାରିଖରେ ଦିଲ୍ଲୀରେ ମତଦାନ ହେବ । ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଜାମିନ ମିଳିବା ଆମ୍ ଆଦମୀ ପାର୍ଟି ପାଇଁ କୌଣସି ବଡ଼ ଆଶ୍ୱସ୍ତିଠାରୁ କମ୍ ନୁହେଁ । କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା । ଏପ୍ରିଲ ପହିଲାରୁ ସେ ତିହାର ଜେଲରେ ଅଛନ୍ତି ।