ଜଟିଳ ହେଉଛି ୨୪’ ଅଙ୍କ: ନିର୍ବାଚନ ବେଳେ ଦଳ ବଦଳାଉଛନ୍ତି ନେତା

273

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ସେତିକି ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ଆସନ୍ତାକାଲି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ସେହିପରି ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ ଦାବିଦାର ଥିଲେ ରାଜୁ ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁୁଷ୍ଟ ଥିଲେ ରାଜୁ ଦାସ । ସେ ମଧ୍ୟ କାଲି ପଦ୍ମ ଧରିବେ ।

ନିର୍ବାଚନ ଆସିଲେ ନେତା ଦଳ ବଦଳାନ୍ତି, କିନ୍ତୁ କିଛି ନେତାଙ୍କ ଦଳ ବଦଳ ଅନେକ ଗୁରୁତ୍ୱ ରଖିଥାଏ । ରାଜନୀତିର ଗଣିତକୁ ପ୍ରଭାବିତ କରିଥାଏ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଆସନ୍ତାକାଲି ବିଜେପିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଧାମନଗର ଉପନିର୍ବାଚନରେ ରାଜେନ୍ଦ୍ର କୁମାର ଦାସ, ବିଜେଡି ଟିକେଟରୁ ବଂଚିତ ହେବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୮ ହଜାରରୁ ଅଧିକ ଭୋଟ ପାଇ ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିଲେ । ପୁଣି ଥରେ ବିଜେଡି ହାତରୁ ଖସି ଯାଇଥିଲା ଏହି ଆସନ । ବାଜି ମାରିନେଇଥିଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ । ଏବେ ଚର୍ଚ୍ଚା ହେଉଛି, ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବା ପରେ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରେ ଭାଗ୍ୟ ପରୀକ୍ଷା କରିପାରନ୍ତି । ଆଉ ସୂରଜଙ୍କୁ ମିଳିପାରେ ଭଦ୍ରକ ଲୋକସଭା ଟିକେଟ୍ ।

୨୦୧୯ରେ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କୁ ହରାଇ ବିଜେଡି ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ ପ୍ରେମାନନ୍ଦ ନାଏକ । ତେବେ ଏହାରି ଭିତରେ ବଦଳି ଯାଇଛି ତେଲକୋଇ ବିଧାନସଭା ଗଣିତ । ବିଜେପି ଛାଡ଼ି ଧନୁର୍ଜୟ ସିଦୁ ଏବେ ବିଜେଡି ଶିବିରରେ । ଆଉ ବିଧାୟକ ପ୍ରେମାନନ୍ଦ ନାଏକ ଦଳରେ କଣଠେସା ହୋଇଥିବା ଅଭିଯୋଗ କରି ବିଜେଡି ଛାଡ଼ିଛନ୍ତି । ଆସନ୍ତାକାଲି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । କୁହାଯାଉଛି, ଏଥର ବି ଦୁଇ ନେତା ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହେବେ, କିନ୍ତୁ ଭିନ୍ନ ଭିନ୍ନ ଦଳରୁ, କେବଳ ଚିହ୍ନ ବଦଳି ଯିବ । ବିଜେଡି ନେତାଙ୍କୁ ଆପଣାଇ ଉତ୍ସାହିତ ହୋଇଉଠୁଛି ବିଜେପି ଶିବିର । ଏପଟେ ବିଜେଡି କହିଛି, ଯେଉଁ ନେତାଙ୍କୁ ଟିକେଟ ମିଳିବା ସମ୍ଭାବନା ନାହିଁ, ସେମାନଙ୍କୁ କୋଳେଇ ନେଉଛି ବିଜେପି । ନେତାଙ୍କ ଦଳ ବଦଳ ଯୋଗୁଁ ଗୋଟିଏ କଥା ସ୍ପଷ୍ଟ, କିଛି ନିର୍ବାଚନ ମଣ୍ଡଳୀରେ ଜଟିଳ ହେଉଛି ରାଜନୀତି ଗଣିତ ।