ଅରବିନ୍ଦ ଢାଲିଙ୍କ ଘର ବାହୁଡ଼ା: ପଦ୍ମ ଧରିଲେ ଜୟଦେବ ବିଧାୟକ, ଯୋଗ ଦେଉ ଦେଉ ବିଜେଡି ଉପରେ ବର୍ଷିଲେ

186

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେଉ ହେଉ ବିଜେଡି ବିରୋଧରେ ଅସନ୍ତୋଷ ଝାଡିଛନ୍ତି । ବିଜେଡି ଛାଡିବା ପଛର କାରଣ କହିବା ସହ ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନର ଶାସନ, ଓଡିଶା ପାଇଁ ଉପଯୁକ୍ତ ନୁହେଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ବିଜେଡି ନେତାମାନେ ଅଣନିଶ୍ୱାସୀ ହୋଇଗଲେଣି ବୋଲି ଅଭିଯୋଗ କରିଛନ୍ତି ଅରବିନ୍ଦ ଢାଲି ।

ଦିନକ ପୂର୍ବରୁ ବିଜେଡି ଛାଡ଼ି ଥିଲେ ୫-୫ଥରର ବିଧାୟକ ଅରବିନ୍ଦ ଢ଼ାଲି । ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ଅରବିନ୍ଦ ଢ଼ାଲିଙ୍କ ସମେତ ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି, ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନ, ପୂର୍ବତନ ପ୍ରଶାସକ ହୃଷିକେଶ ପଣ୍ଡା, ଖଣ୍ଡପଡ଼ାର ନେତା ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ବିଜେଡି ନେତା ବିଜେପିରେ ସାମିଲ ହେବା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ ବୋଲି କଟାକ୍ଷ କରିଛି ।

ଏପଟେ ବିଜେଡି ମିଶ୍ରଣ ପର୍ବରେ ଦଳକୁ ଫେରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁରର ବିଜେପି ନେତା ନରେଶ ମହାନ୍ତି । ନରେଶ ମହାନ୍ତିଙ୍କର ଘର ବାହୁଡ଼ା ହୋଇଛି । ପୂର୍ବରୁ ସେ ବିଜେଡିରେ ଥିଲେ । ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ଥିଲେ । ନରେଶଙ୍କ ବିଜେଡିକୁ ପ୍ରତ୍ୟାବର୍ତନ ଦଳକୁ ଯାଜପୁର ଜିଲ୍ଲାରେ ବେଶ ସହାୟକ ହେବ ବୋଲି ବିଜେଡି ଆଶା ରଖିଛି ।

ରାଜନୀତିରେ ଦଳ ଠିଆଁ ହୁଏତ ନୂଆଁ ନୁହେଁ । ନିର୍ବାଚନ ସମୟରେ ଦଳବଦଳ ସାଧାରଣତଃ ଦେଖିବାକୁ ମିଳେ । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ । କିନ୍ତୁ ଟିକେଟ ଆଶାରେ ଦଳ ବଦଳାଉଥିବା ନେତାଙ୍କୁ ଭୋଟର୍ କେତେ ଗ୍ରହଣ କରୁଛନ୍ତି, ତାହା ନିର୍ବାଚନ ଫଳାଫଳ ହିଁ କହିବ ।