ନକ୍ସଲ ସଜାଇଥିଲା ପୋଲିସ: ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

526

କନକ ବ୍ୟୁରୋ: ମିଛ ମାମଲାର ୭ ବର୍ଷ ଜେଲରେ ରହିଲେ ଦୁଇ ଓଡିଆ ଯୁବକ । ନକ୍ସଲ ସଜାଇ ୨ ଓଡିଆ ଯୁବକଙ୍କୁ ଜେଲ ପଠାଇଥିଲା ଛତିଶଗଡର ନର୍ଗନା ପୋଲିସ । ହେଲେ କୋର୍ଟରେ ପ୍ରମାଣ ଦେଇନପାରିବାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଛତିଶଗଡ ହାଇକୋର୍ଟ । ଜେଲରୁ ମୁକୁଳିବା ପରେ ଛତିଶଗଡ ପୋଲିସ ନାଁରେ ମାମଲା ରୁଜୁ କରିଛନ୍ତି ଓଡିଆ ଯୁବକ । ସହାୟତା ପାଇଁ ଓଡିଶା ସରକାର ଓ ଓଡିଶାର ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହାଇକୋର୍ଟରେ ଧରାପଡିଗଲା ଛତିଶଗଡ ପୋଲିସର ମିଥ୍ୟା ମାମଲା । ନକ୍ସଲ ସଂଗଠନକୁ ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ ଓଡିଶାର ଦୁଇ ଯୁବକଙ୍କୁ ଗିରଫ କରି ଜେଲ ପଠାଇଥିଲା । କିନ୍ତୁ ପ୍ରମାଣ ଦାଖଲ କରିନପାରିବାରୁ ଛତିଶଗଡ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ସେମାନେ ହେଲେ
କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ତେଲିଆ ଗାଁର ନିରଞ୍ଜନ ଦାସ ଓ ଜୟପୁର ପୌରପାଳିକାର କର୍ମଚାରୀ ଦୁର୍ଯ୍ୟତି ମହାକୁଡ ।
ନିରଞ୍ଜନ ଦାସ, ନିର୍ଦ୍ଦୋଷରେ ଖଲାସ ଯୁବକ
ଦୁର୍ଯ୍ୟତି ମହାକୁଡ, ନିର୍ଦ୍ଦୋଷରେ ଖଲାସ ଯୁବକ
ଦୀର୍ଘ ୭ ବର୍ଷ ଜେଲରେ କାଟି ବାହାରିବା ପରେ ପ୍ରେସମିଟ କରି ଛତିଶଗଡ ପୋଲିସର ନିର୍ଯାତାନ ବଖାଣିଛନ୍ତି ନିରଞ୍ଜନ ଦାସ ।
ପୁରା ଘଟଣା ଥିଲା ଏହି ପରି
୨୦୧୬ ଜୁଲାଇ ୨୮ ତାରିଖ- ଛତିଶଗଡ ସୀମାନ୍ତ କୋଟପାଡା ନୂଆଗାଁର ଏକ ଦୋକାନ ନିକଟରୁ ନିରଞ୍ଜନ ଓ ଦୁର୍ଯ୍ୟତିଙ୍କୁ ଉଠାଇ ନେଇଥିଲା ଛତିଶଗଡର ନର୍ଗନା ପୋଲିସ
କିନ୍ତୁ ଧନପୁଞ୍ଜି ରେଲୱେ ଷ୍ଟେସନରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦର୍ଶାଇଥିଲା ନର୍ଗନା ପୋଲିସ

ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ ନିରଞ୍ଜନ ଓ ଦୁର୍ଯ୍ୟତିଙ୍କୁ ଉଠାଇ ନେଇଥିଲା ଆଉ ପ୍ରମାଣ ସ୍ୱରୂପ ଛତିଶଗଡ ପୋଲିସ ବିପୁଳ ବିସ୍ଫୋରକ ଗଣମାଧ୍ୟମ ଆଗରେ ଦେଖାଇଥିଲେ । ଆଉ ସଙ୍ଗୀନ ଦଫା ଲଗାଇ ଜେଲ ପଠାଇ ଦେଇଥିଲେ । ଏହାର ବିରୋଧରେ ଛତିଶଗଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିରଞ୍ଜନଙ୍କ ପରିବାର । ଆଉ କୋର୍ଟ ତାଙ୍କୁ ଏବେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଏହି ନ୍ୟାୟିକ ଲଢେଇ ପାଇଁ ଦୁଇ ଓଡିଆ ଯୁବକଙ୍କ ପରିବାରକୁ ୭ବର୍ଷ ସମୟ ଲାଗିଯାଇଛି ।ଜେଲରୁ ବାହାରିଛନ୍ତି ସତ, କିନ୍ତୁ ବିନା ଦୋଷରେ ଜେଲ ଦଣ୍ଡ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ କଷ୍ଟ ଦେଇଛି । ସେଇଥିପାଇଁ ଏବେ କୋଟପାଡ ଥାନାରେ ଛତିଶଗଡ ପୋଲିସ ନାଁରେ ମାମଲା ରୁଜୁ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ସେହି ସମୟରେ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବାରୁ ଉଚ୍ଚ ଅଧିକାରୀଙ୍କୁ ଖୁସି କରାଇବାକୁ ଏଭଳି ମିଛ ମାମଲା କରିଥିଲା ଛତିଶଗଡ ପୋଲିସ ।

ମଣିଷ ଜୀବନରେ ୭ଟି ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ । କେବଳ ବାହାବା ଲୁଟିବା ପାଇଁ, ଉଚ୍ଚ ଅଧିକାରୀଙ୍କୁ ଖୁସି କରାଇବା ପାଇଁ ଛତିଶଗଡ ପୋଲିସ ଯେଉଁ ଭୁଲ କରିଛି । ତାହାର କଷ୍ଟ ଉଠାଇଛନ୍ତି ନିରଞ୍ଜନ ଓ ଦୁର୍ଯ୍ୟତିଙ୍କ ପରିବାର । ଏବେ ଜେଲରେ କାଟିଥିବା ସେହି ୭ ବର୍ଷ ସମୟ ତାଙ୍କୁ କିଏ ଫେରାଇ ଦେବ ।